ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକାର ସବୁ ରାଜ୍ୟରେ ଏପରି ରାଲି ଓ ଶୋଭାଯାତ୍ରା ହୋଇଛି । ସମଗ୍ର ଆମେରିକାର ୨ ହଜାର ୭୦୦ଟି ସ୍ଥାନରେ ନୋ କିଙ୍ଗ୍ ପ୍ରୋଟେଷ୍ଟ । ବିଶାଳ ବିକ୍ଷୋଭରେ ସାମିଲ ହୋଇଛନ୍ତି ପ୍ରାୟ ୭୦ ଲକ୍ଷ ଲୋକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ବିରୋଧ କରିବା ପାଇଁ ଏକ ପ୍ରମୁଖ ବିଶ୍ୱ ଆନ୍ଦୋଳନ ଆରମ୍ଭ ହୋଇଛି। ଆମେରିକାରେ ରାଜା ଶାସନ ଚାଲିବନି, ଲୋକଙ୍କ ଇଚ୍ଛାରେ ଶାସନ ଚାଲିବ ବୋଲି ନାରା ଦେଇଛନ୍ତି ଆନ୍ଦୋଳନକାରୀ । ଟ୍ରମ୍ପଙ୍କ ରାଜତନ୍ତ୍ରକୁ ଘୋର ବିରୋଧ କରିବା ସହିତ ଗଣତନ୍ତ୍ରର ଗରିମା ରକ୍ଷା କରିବାକୁ ଦାବି ହୋଇଛି। ଆନ୍ଦୋଳନକାରୀ କହିଛନ୍ତି, ଆମେରିକା ସମ୍ବିଧାନ ଇଚ୍ଛାଧୀନ ନୁହେଁ । ଟ୍ରମ୍ପଙ୍କ ଫାସିବାଦ ଓ ସ୍ବେଚ୍ଛାଚାରୀ ଶାସନ ଚାଲି ପାରିବ ନାହିଁ । ଟ୍ରମ୍ପ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରଠୁ ଏକଛତ୍ରବାଦ ଶାସନ ଚଳାଇବା ସହିତ ସଂଘୀୟ ସରକାର ଭାଙ୍ଗିବାକୁ ପ୍ରଚେଷ୍ଟା କରୁଛନ୍ତି । ଅସାମ୍ବିଧାନିକ ଏବଂ ଆମେରିକୀୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଥିବା ଅନେକ ପଦକ୍ଷେପ ନେଉଛନ୍ତି । ସୂଚନା ଯୋଗ୍ୟ; ଟ୍ରମ୍ପ ପ୍ରଶାସନର ନୀତିକୁ ବିରୋଧ କରିବା ପାଇଁ ଗତକାଲି ଲଣ୍ଡନରେ ଆମେରିକୀୟ ଦୂତାବାସ ବାହାରେ ଶହ ଶହ ଲୋକ ଏକାଠି ହୋଇଥିଲେ। ପ୍ରତିବାଦକାରୀମାନେ କହିଥିଲେ ଯେ ସେମାନେ ରାଷ୍ଟ୍ରପତିଙ୍କ ବର୍ଦ୍ଧିତ ସ୍ୱେଚ୍ଛାଚାରୀ ଆଚରଣ ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ବିପଦ ବିରୁଦ୍ଧରେ ଠିଆ ହୋଇଛନ୍ତି। ବିଶ୍ୱବ୍ୟାପୀ ୨,୭୦୦ରୁ ଅଧିକ ପ୍ରତିବାଦ ସଂଗଠିତ ହୋଇଛି। ମାଡ୍ରିଡ୍ ଏବଂ ବାର୍ସିଲୋନା ଭଳି ସ୍ପାନିସ୍ ସହରରେ ମଧ୍ୟ ଲୋକମାନେ ରାସ୍ତାକୁ ଓହ୍ଲାଇଲେ। ଆମେରିକାର ନ୍ୟୁୟର୍କ, ୱାଶିଂଟନ ଏବଂ ଚିକାଗୋରେ ହଜାର ହଜାର ଲୋକ ଟ୍ରମ୍ପ ପ୍ରଶାସନର ନୀତି ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଗତିଶୀଳ ନେତା ବର୍ନି ସାଣ୍ଡର୍ସ, ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ୍ ଏବଂ ହିଲାରୀ କ୍ଲିଣ୍ଟନ୍ ମଧ୍ୟ ଏହି ଅଭିଯାନକୁ ସମର୍ଥନ କରିଥିଲେ। ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ନୋ କିଙ୍ଗ୍ ହ୍ୟାସଟ୍ୟାଗ ସହିତ ଏକତା ପ୍ରକାଶ କରିଥିଲେ। Post navigation Boulders roll down railway line: ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ; ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ Subhadra Yojana: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା