ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ନୂଆଁଖାଇ ପାଖେଇ ଆସୁଥିବା ବେଳେ ଅଭାବୀ ବର୍ଷା ଯୋଗୁଁ ଦାଦନମୁହାଁ ହେବେ ଚାଷୀ । ରାଜ୍ୟ ବାହାରର ଇଟା ଭାଟିରେ ଦାଦନ ଖଟାଇବାକୁ ଦାଦନ ଶ୍ରମିକ ଚାଲାଣ ପାଇଁ ଗାଁ ଗାଁରେ ବଇନା ବଣ୍ଟା ଆରମ୍ଭ ହୋଇଗଲାଣି । ତେବେ ଚଳିତଥରର କେନ୍ଦ୍ର ଓ ରାଜ୍ୟରେ ଭାଜପା ବନାମ ତଥା କଥିତ ଡବଲ ଇଞ୍ଜିନ ସରକାର ଆସିବା ପରେ ଏହା ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇଛି । ପାଟଣାଗଡ଼ ବିଧାୟକ ତଥା ଉପ-ମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂଦେଓ ନିଜେ ଏହାର ଅଧ୍ଯକ୍ଷ ରହିଥିବା ବେଳେ ଦାଦନଗଡ଼ କୁହାଯାଉଥିବା କଣ୍ଟାବାଞ୍ଜିର ବିଧାୟକ ଦାଦନ ସର୍ଦ୍ଦାର ଲକ୍ଷ୍ମଣ ବାଗ ଭାଜପା ଟିକେଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି । ଏଥର ବର୍ଷାଭାବରୁ ଚାଷ ଉଜୁଡ଼ିବା ଥୟ। ପେଟ ପାଇଁ ଲକ୍ଷାଧିକ ଚାଷୀ ବାହାର ରାଜ୍ୟକୁ ଯିବା ଏକ ପ୍ରକାର ନିଶ୍ଚିତ। ବିଡ଼ମ୍ବନାର ବିଷୟ ଯେ ଏତେସତ୍ତ୍ବେ ଜିଲ୍ଲା ଶ୍ରମ ବିଭାଗର ନିଘା ନାହିଁ । ଦ୍ବିତୀୟତଃ ଦଶନ୍ଧି ଦଶନ୍ଧି ଧରି ମୁନାଫା ବେପାରର ପରମ୍ପରା ପାଲଟି ଯାଇଥିବା ଏହି ଦାଦନ ଚାଲାଣ ଶ୍ରମ ଅଧିକାରୀଙ୍କ ଠାରୁ ଥାନା ପୁଲିସ, ରେଳବାଇ, ପ୍ରଶାସନ, ସାମ୍ବାଦିକ, ଦଲାଲ, ଗୁଣ୍ଡା, ଋଣଦାତା ମହାଜନ, ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତରୁ ସରକାରୀ କର୍ମଚାରୀଙ୍କ ଲାଗି ପୁଣି ଚଳିତବର୍ଷର ଦାଦନ ଋତୁରେ ଏହା ପ୍ରଚୁର କମିଶନୀ ଓ ବଟି ଆଦାୟର ବାଟ ଖୋଲିଦେଇଛି। ଅନ୍ୟପକ୍ଷରେ ମନରେଗା ପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମଭିତ୍ତିକ ଦୀର୍ଘମିଆଦି ଯୋଜନାରେ ମିଛ ଶ୍ରମିକ ଓ ମିଥ୍ୟାଶ୍ରମଦିବସର ମିଥ୍ୟା ମଜୁରିର କୋଟି କୋଟି ସରକାରୀ ଅର୍ଥ ଅନୁଦାନ ବାଟମାରଣାର ପର୍ବ ଆରମ୍ଭ ହୋଇଛି । ସରକାର ସବୁ ଜାଣନ୍ତି, ସତେଯେମିତି ଏଥିପାଇଁ ଏକ ନିୟମିତ ରାଜନୈତିକ ଷଡ଼ଯନ୍ତ୍ର ଚାଲିଛି । କାରଣ ଅଦ୍ୟାବଧି ଶ୍ରମ ବିଭାଗରେ ଜିଲ୍ଲାରୁ ପ୍ରତିବର୍ଷ କେତେ ସଂଖ୍ୟକ ଶ୍ରମିକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି, ତା’ର ପ୍ରକୃତ ହିସାବ ସରକାରଙ୍କୁ ଦର୍ଶାଯାଉନାହିଁ। ଉଦାହରଣ ସ୍ବରୂପ, ଜିଲ୍ଲାରୁ ଲକ୍ଷାଧିକ ସଂଖ୍ୟାରେ ଦାଦନ ଶ୍ରମିକମାନେ ଓ ସେମାନଙ୍କର ପରିବାରର ଶିଶୁ, ମହିଳା ପକାଉଥିଲେ । ଗତବର୍ଷ ବଲାଙ୍ଗିର ଜିଲ୍ଲା ଶ୍ରମବିଭାଗ ଖାତାରେ ମୋଟ ୨୩ ହଜାର ୭୮୮ ଜଣ ବୋଲି ଉଲ୍ଲେଖ କରାଯାଇଛି । ତେବେ ଏହି ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ଗଠିତ ଟାସ୍କଫୋର୍ସର କାମ ନୁହେଁ କି ? ଶ୍ରମିକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦିଆଯାଉନି କାହିଁକି ? ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ଏନେଇ ଅଜବ ଉତ୍ତର ଦିଅନ୍ତି । ଅନ୍ୟପକ୍ଷରେ କଣ୍ଟାବାଞ୍ଜି ଅଞ୍ଚଳରେ ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା ମଧ୍ୟ କରି ସାରିଥିବା ବେଳେ, ଅନ୍ୟ ଚାଷୀଙ୍କ ପରିବାର ପ୍ରତିପୋଷଣର ବାଟ ଦାଦନ ଖଟିବା ଏକ ମାତ୍ର ବାଟ ବୋଲି ଶତାଧିକ ଚାଷୀ ପ୍ରତିକ୍ରିୟା ରଖିଛନ୍ତି । ମନରେଗା ଯୋଜନାରେ ସାମିଲ ହୋଇ କାମ କରିବାକୁ କହିଲେ, ଯୋଜନା ସତ, କିନ୍ତୁ କାମ ମିଳିବ ନାହିଁ, ଅଯଥାରେ ମନରେଗା ଯୋଜନାକୁ ଭରସା କରି ପରିବାରକୁ ଭୋକରେ ମାରିବାର ନାହିଁ ବୋଲି ଶ୍ରମିକମାନଙ୍କ ଠାରୁ ପ୍ରକାଶ। ଏଥିପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ବାକୁ ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି । Post navigation କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ ? ତାହାକୁ ନେଇ ପ୍ରକାଶ ପାଇଲା ସୂଚୀ ସ୍ବାମୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ସ୍ତୁତି କଲେ କି ଅପରାଜିତା ?