ସଂସ୍କୃତି ଓ ବିକାଶ ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି I ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଭଳି ଉତ୍ସବଗୁଡ଼ିକ ଅତୀତ ଓ ଭବିଷ୍ୟତ ମଧ୍ୟରେ ଏକ ସୁଦୃଢ଼ ସେତୁ ଭାବରେ କାର୍ଯ୍ୟ କରିଥାଏ । ଏହା ସାଂସ୍କୃତିକ ମୂଳକୁ ଜୀବନ୍ତ ରଖିବା ସହିତ ସନ୍ତୁଳିତ ଓ ସମାବେଶୀ ବିକାଶକୁ ପ୍ରୋତ୍ସାହନ ଦେଇଥାଏ । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ପରମ୍ପରାଠାରୁ ଅଧିକ ଦ୍ରୁତଗତିରେ ଆଗକୁ ବଢ଼ୁଛି, ଏଭଳି ସାଂସ୍କୃତିକ ମଞ୍ଚଗୁଡ଼ିକ ଆହୁରି ଅଧିକ ଆବଶ୍ୟକ ହୋଇପଡ଼ୁଛି । ଏହା ଆମକୁ ମନେପକାଇ ଦେଇ ଥାଏ ଯେ ଆମେ କିଏ, ଆମେ କେଉଁଠାରୁ ଆସିଛୁ ଏବଂ ଆଗକୁ ବଢ଼ିବା ସମୟରେ କେଉଁ ମୂଲ୍ୟବୋଧଗୁଡ଼ିକ ଆମକୁ ପଥ ପ୍ରଦର୍ଶନ କରିବ ସେ ସମ୍ପର୍କରେ ରାଜ୍ୟପାଳ ଅବତାରଣା କରିଥିଲେ । ଏହି ଉତ୍ସବକୁ ବିବିଧତାରେ ଏକତା, ପରମ୍ପରାରେ ଶକ୍ତି ଏବଂ ଐତିହ୍ୟର ନିରନ୍ତରତାର ଉତ୍ସବ ଭାବରେ ରାଜ୍ୟପାଳ ବର୍ଣ୍ଣନା କରିଥିଲେ । ଏହି ଉତ୍ସବରେ ଯୋଗଦାନ କରି ଅତ୍ୟନ୍ତ ଆନନ୍ଦିତ ବୋଲି ରାଜ୍ୟପାଳ ପ୍ରକାଶ କରି କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଓଡ଼ିଶାର ଆତ୍ମା, ଶକ୍ତି ଓ ଚେତନାକୁ ପ୍ରତିଫଳିତ କରେ । ଏହି ଉତ୍ସବ ମୟୂରଭଞ୍ଜର ଲୋକମାନଙ୍କୁ ରାଜ୍ୟର ରାଜଧାନୀରେ ଏକତ୍ରିତ କରି ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରୁଛି ଏବଂ ସାମାଜିକ ଆଦାନପ୍ରଦାନକୁ ବୃଦ୍ଧି କରିବା ସହିତ ଜିଲ୍ଲାର ସମୃଦ୍ଧ ଐତିହ୍ୟର ମହକକୁ ପରିବ୍ୟାପ୍ତ କରୁଛି । ମୟୂରଭଞ୍ଜ ସାଂସ୍କୃତିକ ସଂଘର ନେତୃତ୍ୱ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କର ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ସେମାନେ ଏହି ଉତ୍ସବକୁ ରାଜ୍ୟ ତଥା ଜାତୀୟସ୍ତରରେ ଏକ ପ୍ରମୁଖ ସାଂସ୍କୃତିକ ମଞ୍ଚ ଭାବରେ ରୂପାନ୍ତରିତ କରିଛନ୍ତି । ମୟୂରଭଞ୍ଜର ଐତିହ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଏକ ଅମୂଲ୍ୟ ରତ୍ନ, ଯେଉଁଠାରେ ପ୍ରକୃତି ଓ ସଂସ୍କୃତିର ସମନ୍ୱୟ ବିରାଜମାନ । ସିମିଳିପାଳ ଜୈବମଣ୍ଡଳ, ଭଞ୍ଜ ରାଜବଂଶର ଐତିହ୍ୟ ଏବଂ ଆଧୁନିକ ଓଡ଼ିଶା ଗଠନରେ ଜିଲ୍ଲାର ମହାନ ଅବଦାନକୁ ରାଜ୍ୟପାଳ ଉଲ୍ଲେଖ କରିଥିଲେ । ମୟୂରଭଞ୍ଜର ଜୀବନ୍ତ ଆଦିବାସୀ ସଂସ୍କୃତି, ବିଶେଷକରି ସାନ୍ତାଳ ଓ ହୋ ସମ୍ପ୍ରଦାୟର ସଂସ୍କୃତି, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୟୂରଭଞ୍ଜ ଛଉ ନୃତ୍ୟ, ସମୃଦ୍ଧ ହସ୍ତଶିଳ୍ପ, ଅନନ୍ୟ ଖାଦ୍ୟ ଏବଂ ବାରିପଦା ରଥଯାତ୍ରା ଭଳି ସମାବେଶୀ ପରମ୍ପରା ବିଷୟରେ ମଧ୍ୟ ରାଜ୍ୟପାଳ ଅବତାରଣା କରିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଜାତୀୟସ୍ତରର ନେତୃତ୍ୱ ସୃଷ୍ଟି କରିଛି I ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରା ଦେଶବ୍ୟାପୀ ଲୋକଙ୍କୁ ପ୍ରେରଣା ଯୋଗାଉଛି । ମୟୂରଭଞ୍ଜର ସଂସ୍କୃତିକୁ ଉତ୍ସବରେ ପାଳନ କରି ଓଡ଼ିଶା ତାହାର ମୂଲ୍ୟବୋଧକୁ ପ୍ରାଦେଶିକ ସୀମା ବାହାରେ ବ୍ୟାପ୍ତ କରୁଛି ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଉଛି ବୋଲି ରାଜ୍ୟପାଳ କହିଥିଲେ। ଏହି ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇଥିବାବେଳେ ମୟୂରଭଞ୍ଜ ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ ଡ଼ ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ । Post navigation Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ