ସୋମବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଲେ ରାଜଭବନ । ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟିଙ୍କ ସହ ବେଶ୍ କିଛି ସମୟ ଆଲୋଚନା କଲେ । ଚର୍ଚ୍ଚା ଜୋର ଧରିଲା । ମଙ୍ଗଳବାର ସକାଳେ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଚାଲିଗଲେ । ମୁଖ୍ୟମନ୍ତ୍ରୀ ରାଜଭବନ ଯିବା ଏବଂ ସଭାପତି ଦିଲ୍ଲୀ ଗସ୍ତ କରିବା ଭିତରେ ଆଉ ଯେଉଁ ଘଟଣାଟି ଘଟିଲା, ତାହା ଚର୍ଚ୍ଚାରେ ନିଆଁ ଲଗାଇ ଦେଇଛି କହିଲେ ଭୁଲ ହେବ ନାହିଁ। ଘଟଣାଟି ହେଲା, ରାଜ୍ୟପାଳ କମ୍ଭମପାଟି ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନକୁ ଗଲେ ଏବଂ ଦୀର୍ଘ ସମୟ ଆଲୋଚନା କରି ଫେରି ଆସିଲେ । ପୃଥୀରାଜ ହେଉଛନ୍ତି ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ । ଏହି ସାକ୍ଷାତଟି ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛି।

ମଙ୍ଗଳବାର ଅପରାହ୍ନରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଗଲେ ରାଜଭବନ ରାଜ୍ୟପାଳଙ୍କ ସହ ଆଲୋଚନା କରି ଫେରିଲେ ।ତେବେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ରାଜଭବନ ନଡକାଇ ତାଙ୍କ ଘରକୁ କାହିଁକି ଗଲେ ରାଜ୍ୟପାଳ ? ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜଭବନ ଯାଇ ଭେଟିବା ପରେ ସେ କାହିଁକି ମନ୍ତ୍ରୀଙ୍କ ଘରକୁ ସେହିଦିନ ଯିବା ପାଇଁ ଚାହିଁଲେ ? ଏହାଦ୍ବାରା ମୁଖ୍ୟମନ୍ତ୍ରୀଙ୍କୁ ଛୋଟ କରାଇ ଦେଲେ କି ରାଜ୍ୟପାଳ ?

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଥା ଜୋର୍‌ସୋର୍‌ରେ ଆଲୋଚିତ ହେଲା। ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ପୂର୍ଣାଙ୍ଗ ହୋଇପାରି ନାହିଁ । ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। । ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ଅଛି । କାମ ଚାପ ଯୋଗୁ ସମସ୍ୟା ଉପୁଜୁଛି । ଏ କଥା ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବୀକାର କରିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ପରେ ସ୍ୱାଭାବିକ ଭାବେ ସମ୍ପ୍ରସାରଣ ଚର୍ଚ୍ଚା ବଢ଼ିଛି। କିନ୍ତୁ ରାଜ୍ୟପାଳ ଆଇନ ମନ୍ତ୍ରୀଙ୍କ ଘରକୁ ଯିବା ଘଟଣାକୁ ଅଧିକାଂଶ ମହଲ ନାପସନ୍ଦ କରୁଛନ୍ତି । ଏହାଦ୍ବାରା ରାଜଭବନର ଗାରିମା କ୍ଷୁଣ୍ଣ ହୋଇଛି ।

ଯେଉଁ ବିଷୟ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବୋଲି ନିଜେ ରାଜ୍ୟପାଳ ଏକ୍ସରେ ପୋଷ୍ଟ କଲେ, ସେହି ବିଷୟରେ ରାଜଭବନରେ ଆଲୋଚନା କରିପାରିଥାନ୍ତେ। ସବୁଠୁ ରହସ୍ୟଜନକ ମନେହେଲା ପୃଥ୍ବୀରାଜଙ୍କ ଏକ୍ସରେ ପୋଷ୍ଟ। ଏଥିରେ ସେ ଆଉ ଦୁଇଟି ପ୍ରସଙ୍ଗ ଯୋଡ଼ିଦେଲେ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବଂ ବୋର୍ଡ଼ ଅଧ୍ଯକ୍ଷ ନିଯୁକ୍ତି। ମନ୍ତ୍ରିମଣ୍ଡଳ ମୁଖ୍ୟମନ୍ତ୍ରୀ ବୁଝିବେ। ନିଗମ ଅଧ୍ୟକ୍ଷ ବୁଝୁଛନ୍ତି ସଭାପତି। ଏଭଳି ଦୁଇଟି ଭିନ୍ନ ପ୍ରସଙ୍ଗକୁ କାହିଁକି ଯୋଡ଼ିଲେ ମନ୍ତ୍ରୀ ? ଏହା କ’ଣ ଇସାରା ଦେଉଛି ?

ଠିକ ପରଦିନ ମଙ୍ଗଳବାର ସକାଳୁ ସଭାପତି ମନମୋହନ ସାମଲ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ସାଙ୍ଗରେ ଧରି ଦିଲ୍ଲୀ ଗଲେ। ରାତି କଟିଲା ରାଜ୍ୟ କାର୍ଯ୍ୟାଳୟରେ । କୁହାଯାଉଛି ଯେ ଦିଲ୍ଲୀରେ ସେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷଙ୍କ ସହ ଆଲୋଚନା କରି ମନମୋହନ ୨୪ ତାରିଖରେ ଫେରିବେ ଭୁବନେଶ୍ବର। ଯଦି ସବୁ ବିନ୍ଦୁକୁ ଯୋଡ଼ାଯାଏ ହେବ – ମୁଖ୍ୟମନ୍ତ୍ରୀ ଭେଟିଲେ ରାଜ୍ୟପାଳଙ୍କୁ। ରାଜ୍ୟପାଳ ଗଲେ ମନ୍ତ୍ରୀ ପୃଥ୍ବୀରାଜଙ୍କ ଘରକୁ। ଭୋରୁ ସଭାପତି ମନମୋହନ ଗଲେ ଦିଲ୍ଲୀ। ଅପରାହ୍ନରେ ରାଜସ୍ବ ମନ୍ତ୍ରୀ ଗଲେ ରାଜଭବନ। ରାଜ୍ୟପାଳ ଚାହିଁଥିଲେ ନୂଆ ପରମ୍ପରା ସୃଷ୍ଟି ପାଇଁ ସୁରେଶଙ୍କ ଘରକୁ ବି ଯାଇପାରିଥାନ୍ତେ। କିନ୍ତୁ ତାହା ହୋଇନାହିଁ, ମାତ୍ର ଆଇନ ମନ୍ତ୍ରୀଙ୍କ ଘରକୁ ଯାଇଛନ୍ତି ସେ।

କିଛି ପ୍ରଶ୍ନ ସାମ୍ନାକୁ ଉଠିଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆସନ୍ନ କି ? ଶ୍ରାବଣ ସରିଲେ ନା ପୂର୍ବରୁ ଏଭଳି ହେବ ? ମନମୋହନ ସୋମବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ କି ଆଲୋଚନା କରିଛନ୍ତି ? ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଆଲୋଚନାର ଏକ ବିଶେଷ ରାଜନୈତିକ ଗୁରୁତ୍ୱ ଅଛି। କାହିଁକି ପୃଥ୍ବୀରାଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଥା ଉଲ୍ଲେଖ କଲେ ? ପୃଥ୍ବୀରାଜ ବଡ଼ ବିଭାଗ ହରାଇବେ କି ? ପ୍ରୋଟୋକଲ ଭାଙ୍ଗି ରାଜ୍ୟପାଳ ମନ୍ତ୍ରୀଙ୍କ ଘରକୁ ଯିବା କାହିଁକି ସମସ୍ତେ ନାପସନ୍ଦ କରୁଛନ୍ତି ? ଭାଜପାରେ ଏକ ବଡ଼ ରାଜନୈତିକ ହଟଚମଟ ସୃଷ୍ଟି ହେବାକୁ ଯାଉଛି। କିଛି ମନ୍ତ୍ରୀ ଅବଶ୍ୟ ବାଦ୍ ପଡ଼ିବେ। କିଛି ଦମଦାର ବିଧାୟକ ମନ୍ତ୍ରୀ ପଦ ମଣ୍ଡନ ମଧ୍ଯ କରିବେ। ସୁତରାଂ ମୋହନଙ୍କ ଉଦ୍ୟମକୁ ଭିତରୁ ବିରୋଧ ହେବା ଆଶଙ୍କାକୁ ସହଜରେ ଏଡ଼ାଇ ଦିଆଯାଇ ପାରୁନାହିଁ । ଅପେକ୍ଷା କରିବାକୁ ହେବ ଯେ ମନମୋହନ ଫେରିବା ପୂର୍ବରୁ ମୋହନ ଦିଲ୍ଲୀ ଯିବେ ନାହିଁ ତ ?

Leave a Reply

Your email address will not be published. Required fields are marked *