ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ପୁଣି ବଢିପାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବିଶ୍ୱାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପିଟିସନ ଦାଖଲ କରିଥିବାବେଳେ ୪ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ମୃତ କୁଳମଣୀ ବରାଳଙ୍କ ପରିବାର ଓଡ଼ିଶା ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବାବେଳେ ମାମଲାର ବିଚାର ପାଇଁ କୋର୍ଟ ଗ୍ରହଣ କରିଛନ୍ତି । ନ୍ୟାୟାଧୀଶ ବିକ୍ରମ ନାଥ ଏବଂ ନ୍ୟାୟାଧୀଶ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ମାନ୍ୟବର ଅଦାଲତ । ଏଥିପାଇଁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୂଚନା ଯୋଗ୍ୟ; ବିଜେପି ନେତା କୁଳମଣି ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥରାଶୀରେ ବିଜେଡି ନେତାମାନେ ଦୁର୍ନୀତି କରୁଥିବା ଘଟଣାକୁ ନେଇ ସ୍ଵର ଉତ୍ତୋଳନ କରିଥିଲେ। ୨୦୨୧ ଜାନୁଆରୀ ୨ ମାସରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସାଥି ଦିବ୍ୟସିଂହ ବରାଳଙ୍କୁ କଟକ ଜିଲ୍ଲା ମାହାଙ୍ଗା ନିକଟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏ ସଂକ୍ରାନ୍ତରେ ନେତାଙ୍କ ପରିବାର ଲୋକ ବିଜେଡି ନେତା ପ୍ରତାପ ଜେନାଙ୍କ ହତ୍ୟାକାଣ୍ଡ ସହିତ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ପ୍ରତାପ ଜେନା ଏ ସଂକ୍ରାନ୍ତରେ ପୁଲିସର ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ୧୨ ଜଣଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ପରବର୍ତ୍ତୀ ୨୦୨୪ ଅକ୍ଟୋବର ୧ରେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ହାଇକୋର୍ଟ ପ୍ରତାପ ଜେନାଙ୍କୁ ଏହି ହତ୍ୟାକାଣ୍ଡ ମାମଲାରେ କ୍ଲିନ ଚିଟ୍ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *