୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ଆଜି ତାହାକୁ କୋହଳ କରିଛନ୍ତି। ଚାଲିବ ବାର୍ କିନ୍ତୁ କେବଳ ସଙ୍ଗୀତ ଓ ଅର୍କେଷ୍ଟ୍ରା ପରିବେଷଣକୁ ଅନୁମତି ଦିଆଯାଇଛି । ଏନେଇ ଅବକାରୀ ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲସ୍ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି । ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର୍ ପରିଚାଳନାକୁ ଅନୁମତି ମିଳିଛି । ସର୍ତ୍ତ ଅନୁଯାୟୀ ଡ୍ୟାନ୍ସ ବାର୍ ପରିସରରେ ଲାଗିବ ସିସିଟିଭି କ୍ୟାମେରା ।ସିସିଟିଭି ଖରାପ ହେଲେ ବାର୍ ମାଲିକ ଥାନାକୁ ଅବଗତ କରିବେ। କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ରାଜ୍ୟର ମଦବାରଗୁଡ଼ିକରେ ମହିଳାମାନେ ମ୍ୟୁଜିକାଲ ପ୍ରୋଗାମ ଅବା ଅର୍କେଷ୍ଟ୍ରା ପରିବେଷଣ କରିପାରିବେ । ଅର୍କେଷ୍ଟ୍ରା ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ବାରଗୁଡ଼ିକୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଫିସରଙ୍କୁ ଦେବେ । ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ । ଲାଇସେନ୍ସଧାରୀ ମଦବାର ମାଲିକଙ୍କୁ ଆବେଦନ କରିବାବେଳେ ଅର୍କେଷ୍ଟ୍ରାରେ ପରିବେଷଣ କରୁଥିବା ମହିଳା ଅବା ପୁରୁଷଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବାକୁ ପଡ଼ିବ । ଏହାସହିତ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ ସହ ସେମାନଙ୍କର ନାମ, ସ୍ଥାୟୀ ଠିକଣା, ନାଗରିକତା ଓ ସ୍ଥାନୀୟ ଠିକଣା ମଧ୍ୟ ଦେବାକୁ ପଡ଼ିବ । ଏହା ସହ ପ୍ରଦର୍ଶନକାରୀ(ପୁରୁଷ ଓ ମହିଳା)ଙ୍କ ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ । ସେହି ପ୍ରଦର୍ଶନକାରୀ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଥିବା ନେଇ ଏକ ସମ୍ମତିପତ୍ର ଦେବେ ଯାହାକୁ ବାରମାଲିକ ଅନୁମତି ନେବାବେଳେ ଦାଖଲ କରିବେ । ପୂର୍ବରୁ ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଚାର୍ଜସିଟ୍ ଥିବା ମହିଳାଙ୍କୁ ଏହି ଅର୍କେଷ୍ଟ୍ରା ପ୍ରଦର୍ଶନ ନିମନ୍ତେ ଅନୁମତି ମିଳିବ ନାହିଁ । ବାର ପରିସରରେ ଯେଉଁ ଷ୍ଟେଜରେ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ ତା’ର ଚାରିପଟେ ୩ଫୁଟ ଉଚ୍ଚର ବାଡ଼ ରହିବ ଓ ଗ୍ରାହକଙ୍କଠୁ ଅତିକମରେ ୫ଫୁଟ ଦୂରତ୍ୱରେ ରହିବ । ସେହି ଷ୍ଟେଜ୍ ୧୦ଫୁଟରେ ୧୨ଫୁଟ ଅର୍ଥାତ୍ ସର୍ବନିମ୍ନ ୧୨୦ବର୍ଗଫୁଟ ହେବା ଜରୁରୀ । ମହିଳା ସଙ୍ଗୀତ ପରିବେଷଣକାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଲକର ସୁବିଧା ରହିବା ଜରୁରୀ । ବାରମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ, ଯାହା ସେମାନେ ଡ୍ୟୁଟିବେଳେ ଉପଯୋଗ କରିପାରିବେ । ମଦବାରରେ ନିୟୋଜିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନେ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ମାଗଣା ପରିବହନ ସୁବିଧା ବାରମାଲିକଙ୍କୁ ଯୋଗାଇବାକୁ ପଡ଼ିବ । ବାର ପରିସରରେ ନିୟୋଜିତ କୌଣସି ମହିଳା ଯେଭଳି ଯୌନ ଓ ଅନ୍ୟ ନିର୍ଯାତନାର ଶିକାର ନହେବେ ସେଥିପାଇଁ ବାରମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ । ସେହିପରି ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିବା ପୁରୁଷ ଅବା ମହିଳାଙ୍କୁ ଏଣିକି ଗ୍ରାହକମାନେ ସିଧାସଳଖ ଟଙ୍କା ଅବା କୌଣସି ପୁରସ୍କାର ଦେଇପାରିବେ ନାହିଁ । ଯଦି କେଉଁ ଗ୍ରାହକ ଦେବାକୁ ଇଚ୍ଛୁକ ଥିବେ ତା’ହେଲେ ସମ୍ପୃକ୍ତ ମଦବାରର ପରିଚାଳକଙ୍କ ମାଧ୍ୟମରେ ତାହା ଦେଇପାରିବେ । ମଦବାର ପରିସରରେ କାହାରିକୁ ସିଗାରେଟ୍ ସେବନ ପାଇଁ ଅନୁମତି ମିଳିବ ନାହିଁ । Post navigation ସଂଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଫୁଟିବ ବାଣ; ରାଜ୍ୟରେ ଜାରି ହେଲା ଗାଇଡଲାଇନ୍ ଓଡ଼ିଶାରେ କମିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ କେଉଁ ଜିଲ୍ଲାବାସୀ ପାଇବେ ଏହାର ଲାଭ