ଡାକ୍ତରଖାନା ସମ୍ମୁଖକୁ ସ୍ଥାନାନ୍ତର ହେବାକୁ ଯାଉଛି ମଦଦୋକାନ । ଏହି ଭଳି ଅଭାବନୀୟ ଘଟଣାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସହରରେ । ଏଠାରେ ଓଡ଼ିଶା ଅବକାରୀ ଆଇନ ନିୟମକୁ ଖୁଲମ୍ ଖୋଲା ହେଉଛି ଅଣଦେଖା । ମନ୍ଦିର ପାର୍ଶ୍ଵରୁ ମଦ ଦୋକାନ ଉଠାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଚର୍ଚ୍ଚାରେ ସୁନ୍ଦରଗଡ଼ ଅବକାରୀ ବିଭାଗ । ଓଡ଼ିଶା ଅବକାରୀ ଆଇନ ନିୟମ ଅନୁଯାୟୀ ମଦଦୋକାନ ଧର୍ମାନୁଷ୍ଠାନ, ଅନୁସୂଚିତ ଜାତି, ଜନଜାତି ତଥା ଶ୍ରମିକ ବସ୍ତି, କାରଖାନା, ପେଟ୍ରୋଲ ପମ୍ପ, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡଠାରୁ ପୌରାଞ୍ଚଳରେ ୩ ଶହ ମିଟର ଓ ଗ୍ରାମାଞ୍ଚଳରେ ୫ ଶହ ମିଟର ଦୂରତାରେ ଖୋଲିବା ମନା ସେହିପରି ଶିକ୍ଷାନୁଷ୍ଠାନଠାରୁ ୫ ଶହ ମିଟର, ଗ୍ରାମର ଜନଗହଳି ଅଞ୍ଚଳ, ଦୈନିକ ହାଟ ନିକଟରେ ମଦ ଦୋକାନ ଖୋଲିବା ଉପରେ କଟକଣା ରହିଥିବା ବେଳେ ଏହି ଭଳି ନୀତିନିୟମକୁ ଅଣଦେଖା କରି ମଦଦୋକାନଗୁଡ଼ିକୁ କିପରି ସୁନ୍ଦରଗଡ଼ ଅବକାରୀ ବିଭାଗ ଅନୁମତି ଦେଇ ଆସୁଛି ତାହା ଉପରେ ସଚେତନ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି । ଡାକ୍ତରଖାନା ସମ୍ମୁଖକୁ ମଦ ଦୋକାନ ସ୍ଥାନାନ୍ତର କରିବା ନୁଆ କଥା ନୁହେଁ ଆଗରୁ ମଧ୍ୟ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାର ନଜରକୁ ଆସିଛି ଯେପରିକି ଏବେ ବି ମନ୍ଦିର, ଶିକ୍ଷାନୁଷ୍ଠାନ, ସରକାରୀ ବଙ୍ଗଳାର ଅତି ନିକଟରେ ଅର୍ଥାତ ୫୦ରୁ ଶହେ ମିଟର ଦୂରତାରେ ମଦଦୋକାନ ରହିଛି। ଯେପରିକି ଉପଜିଲ୍ଲାପାଳଙ୍କ ବାସଭବନ ଓ ଧର୍ମଶାଳା ଉଚ୍ଚବିଦ୍ୟାଳୟ ସମ୍ମୁଖ ଓ ହସ୍ପିଟାଲ ଛକହନୁମାନ ମନ୍ଦିର କଡ଼ରେ ସୁନ୍ଦରଗଡ଼ ବିଦେଶୀମଦ ଦୋକାନ-୨ ଓ ୩ ରହିଛି। ସୂଚନଯୋଗ୍ୟ; ସୁନ୍ଦରଗଡ଼ ବେଆଇନ ମଦ ଦୋକାନ ବିରୋଧରେ ତିନିବର୍ଷ ତଳେ ପୂର୍ବତନ ବିଧାୟିକା କୁସୁମ ଟେଟେଙ୍କ ସହ ମହିଳାଗୋଷ୍ଠୀ ଓ ଅନ୍ୟ ସଂଗଠନ ରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ ବାସଭବନ ଓ ଧର୍ମଶାଳା ଉଚ୍ଚବିଦ୍ୟାଳୟ ସମ୍ମୁଖରେ ଥିବା ୨ ନମ୍ବର ଠିପିବନ୍ଦ ବିଦେଶୀ ମଦଦୋକାନ ଓ ଏସ୍ବିଆଇ ଛକ ହନୁମାନ ମନ୍ଦିର ସଂଲଗ୍ନ ୩ ନମ୍ବର ମଦଦୋକାନ ସ୍ଥାନାନ୍ତର ପାଇଁ ନିଷ୍ପତ୍ତ ନେଇଛି ବିଭାଗ । କିନ୍ତୁ ଉପଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖ ଦୋକାନକୁ ମାତ୍ର କିଛି ପାହୁଣ୍ଡ ଦୂରରେ ଥିବା ଦେବାଶିଷ ଲଜ୍ ସମ୍ମୁଖକୁ ଓ ହନୁମାନ ମନ୍ଦିର ପାର୍ଶ୍ଵ ଦୋକାନକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖକୁ ସ୍ଥାନାନ୍ତର ପାଇଁ ଯୋଜନା କରିଛି ବିଭାଗ। ଏଥିପାଇଁ ନୋଟିସ୍ ଜାରି କରାଯାଇଛି। ଏପରି ଘଟଣାକୁ ଜିଲ୍ଲାପାଳ ଗମ୍ଭୀରତାର ସହ ଗ୍ରହଣ କରି ମଦଦୋକାନକୁ ସହରର ଜନଗହଳି ଓ ସମ୍ବେଦନଶୀଳ ସ୍ଥାନରୁ ବାହାରକୁ ସ୍ଥାନାନ୍ତର କରିବାକୁ ଦାବି ହେଉଥିବା ସୂଚନା ମିଳିଛି । Post navigation ଭୁବନେଶ୍ୱରରେ ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ଉପରେ ହାଇକୋର୍ଟଙ୍କ ରୋକ ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରର ଅଫିସରେ ଜାଲିଆତି; ବିକ୍ରେତାଙ୍କ ନାମରେ ଅଠା ବୋଳି ଖସି ଯିବା ପାଇଁ ଷଡଯନ୍ତ୍ର