ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି । ଆଜି ସକାଳୁ ଅବକାଶ ନୀତି ସମ୍ପନ୍ନ ହୋଇଥିବାବେଳେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । କାଲି ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ନୀତିକାନ୍ତି । ଆଜି ସ୍ଵାଭାବିକ ହେବା ପରେ ବିବାଦର ଯଦି ସମାଧାନ ନ ହୁଏ ତେବେ ନୀତି ବନ୍ଦ କରିବାକୁ ବ୍ରାହ୍ମଣ ନିଯୋଗ ଚେତାବନୀ ଦେଇଛି ।

ସୂଚନା ଯୋଗ୍ୟ; ଗତକାଲି ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ ପାଳି ଥିଲା । କିନ୍ତୁ ସମର୍ଥା ନିଯୋଗର ଉପଯୁକ୍ତ ଉତ୍ତରାଧିକାରୀ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା । ଫଳରେ ପ୍ରଭୁ ଲିଙ୍ଗରାଜଙ୍କୁ ଖାଡା ଉପବାସରେ ରହିବାକୁ ପଡିଥିଲା ।

ଏପରିକି ମହାପ୍ରଭୁଙ୍କଠାରେ ଭୋଗ ଲାଗି ହୋଇ ନ ଥିବାରୁ ହଜାର ହଜାର ହବିଷ୍ୟାଳି ଓ ଭକ୍ତ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ସେବାୟତଙ୍କ ଉତ୍ତରାଧିକାରୀ ନ ଥିବାରୁ ତାଙ୍କ ସେବା କିଏ କରିବ ତାହା ପ୍ରଶାସନ ସ୍ଥିର କରି ପାରୁନି । ଫଳରେ ଏମିତି ଅବସ୍ଥା ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *