ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଆକ୍ସନ ମୁଡ୍ ରେ ରାଜ୍ୟ ସରକାର। ଏହି ଘଟଣା ପରେ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (HELs) ରେ ଆଭ୍ୟନ୍ତରୀଣ କମିଟି (IC) ଗଠନ କରିବାକୁ ଚିଠି ଲେଖାଯାଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଦସ୍ୟମାନଙ୍କର ନାମ ଓ ଫୋନ୍ ନମ୍ବରକୁ ଉଚ୍ଚଶିକ୍ଷା ବିଭାଗର Information Management System (ଏଚଆଇଏମଏସ) ପୋର୍ଟାଲରେ ଅପଲୋଡ଼ କରିବା ସହିତ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ଏହାକୁ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କର୍ମକ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ସମ୍ବନ୍ଧରେ ସଚେତନତା ଓ ଏହାର ନିବାରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ତୁରନ୍ତ କର୍ମଶାଳାର ଆୟୋଜନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ଦର୍ଶାଯାଇଛି ଯେ, ୧.ମହିଳା ସଦସ୍ୟ ଏବଂ ବାହ୍ୟ ପ୍ରତିନିଧିଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ସମେତ ଉକ୍ତ ଆଇନର ଧାରା ୪ କୁ କଡ଼ାକଡ଼ି ପାଳନ କରି ୨୪ ଘଣ୍ଟା ମଧ୍ୟରେ IC ଉପରେ ନିର୍ଦ୍ଦେଶାବଳୀର ଅନୁପାଳନ ଦାଖଲ କରନ୍ତୁ। ଏହା ସହିତ, UGC (ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ମହିଳା କର୍ମଚାରୀ ଏବଂ ଛାତ୍ରଙ୍କ ଯୌନ ଉତ୍ପୀଡ଼ନ ନିବାରଣ, ନିଷେଧ ଏବଂ ପ୍ରତିକାର) ନିୟମାବଳୀ, ୨୦୧୫ ପାଳନ କରନ୍ତୁ। ୨. ସାଧାରଣ ସଚେତନତା ପାଇଁ ସମସ୍ତ IC ସଦସ୍ୟଙ୍କ ନାମ ଏବଂ ଯୋଗାଯୋଗ ନମ୍ବର ଏକ ସ୍ପଷ୍ଟ ସ୍ଥାନରେ ପ୍ରଦର୍ଶନ କରନ୍ତୁ ଏବଂ ସେମାନଙ୍କର ବିବରଣୀ HIMS ପୋର୍ଟାଲରେ ଅପଲୋଡ୍ କରନ୍ତୁ। ୩. ଛାତ୍ର ଏବଂ ଅଧ୍ୟାପକଙ୍କ ସମ୍ବେଦନଶୀଳତା ପାଇଁ କାର୍ଯ୍ୟସ୍ଥଳରେ ମହିଳା ଯୌନ ଉତ୍ପୀଡ଼ନ ଆଇନ, ୨୦୧୩ ଉପରେ ତୁରନ୍ତ କର୍ମଶାଳା ଆୟୋଜନ କରନ୍ତୁ। Post navigation ଏମ୍ସର ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କଲେ ରାଷ୍ଟ୍ରପତି ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ ବିଶି