ଓଡ଼ିଶାବାସୀଙ୍କ ଆର୍ଶୀବାଦରୁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ଓଡିଶାବାସୀଙ୍କ ବିପୁଳ ସମର୍ଥନ ଓ ଆଶୀର୍ବାଦ ପ୍ରାପ୍ତ କରି ଜନତାଙ୍କ ସରକାର ହୋଇଛି ବିଜେପି ସରକାର । ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୨୪ ବର୍ଷ ଭିତରେ ପୂର୍ବର ବିଜେଡି ସରକାର ନିଜର ଅକର୍ମପଣିଆ ଯୋଗୁ ଯାହା କରି ପାରି ନ ଥିଲା, ବିଜେପି ସରକାର ମାତ୍ର ଏକ ମାସ ଅବଧି ଭିତରେ ତାଠାରୁ ଯଥେଷ୍ଠ ଅଧିକ କାମ କରିଛି । ଓଡ଼ିଶାର ବିକାଶ, ଅସ୍ମିତା ବଜାୟ ରଖିବାକୁ ଏକାଧିକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର । ସେଥିପାଇଁ ପ୍ରଥମ ଥର ପାଇଁ ବିରୋଧି ଦଳ ହୋଇଥିବା ବିଜେଡି ଦଳ ଆଜି ଅସହିଷ୍ଣୁ ହୋଇପଡ଼ିଛି । ବିଧାନସଭାରେ ଆଜି ଥିଲା ନୂତନ ସରକାରଙ୍କ ପ୍ରଥମ ଅଧିବେଶନ । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଉପସ୍ଥାପନା କରିଥିବା ଅଭିଭାଷଣରେ ନୂତନ ସରକାରଙ୍କ ଆଗାମୀ ଦିନର ଯୋଜନା ଏବଂ ଓଡ଼ିଶା ବିକାଶର ଚିତ୍ର ପ୍ରତିଫଳିତ ହୋଇଛି । ଏହା ନ ଶୁଣି ବିଭିନ୍ନ ବାହାନା ଦେଖାଇ ବିଧାନସଭା କକ୍ଷ୍ୟ ପରିତ୍ୟାଗ କରିବା ଦୁର୍ଭାଗ୍ୟଜନକ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ତାରିଖରେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଯାଂଚ କରିବାକୁ ପୁରୀର ଜିଲାପାଳଙ୍କୁ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି । ରିପୋର୍ଟ ହସ୍ତଗତ ହେବା ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ ବିଜେଡି ସରକାର ସମୟରେ ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ଆଇନକୁ ତା ବାଟରେ ଯିବାକୁ ଦିଆଯାଉନଥିଲା । ମାତ୍ର ବର୍ତମାନ ମୋହନ ମାଝୀ ସରକାରରେ ଆଇନକାନୁନକୁ ତା’ବାଟରେ ଯିବା ପାଇଁ ସଂପୂର୍ଣ୍ଣ ଅଗ୍ରାଧିକାର ଦିଆଯିବା ଏବଂ କୈାଣସି ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ବିଜେପି ସରକାର ପ୍ରତିଶୃତିବଦ୍ଧ । ବିଜେପି ସରକାର ଉପରେ ରାଜ୍ୟବାସୀଙ୍କ ଭରପୁର ଭରଷା ରହିଛି । ଏଣୁ ବିରୋଧି ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ଅସହଯୋଗ କରିବାର ମାନସିକତା ଛାଡ଼ି ଧୈର୍ଯ୍ୟ ଧରିବା ଆବଶ୍ୟକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି ।

Leave a Reply

Your email address will not be published. Required fields are marked *