ଜାତୀୟ ରାଜପଥ ନମ୍ବର ୧୬ । ପାଣିକୋଇଲି ବଡ଼ ଜଙ୍କସନ। ପାଣିକୋଇଲିରୁ କେନ୍ଦୁଝରକୁ ଯାଇଛି ୨୦ ନମ୍ବର ଜାତୀୟ ରାଜପଥ । ଏଭଳି ଏକ ଜନଗହଳି ଛକରେ ସୁନା ଦୋକାନ ଲୁଟ କରିବାକୁ ଦୁର୍ବୃତ୍ତମାନେ ସାହସ କରିବା କିଛି ଛୋଟ କଥା ନୁହେଁ। ସେମାନଙ୍କ ଗୁଳିରେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏହା ଘଟିଛି ଜାନୁଆରୀ ୪ ତାରିଖ ଦିନ ପ୍ରାୟ ୧.୩୦ ବେଳେ। ଜାନୁଆରୀ ୩ ତାରିଖ ସମ୍ବଲପୁର। ବୁଢ଼ାରଜା ଛକରେ ମଧ୍ୟ ସବୁବେଳେ ଗହଳଚହଳ ଲାଗିରହିଥାଏ। ମୁଖ୍ୟ ରାସ୍ତାରେ ଥିବା ମନପୁରମ୍ ଫାଇନାନ୍ସ କମ୍ପାନୀର ଶାଖା ଉପରେ ଚଢ଼ାଉ କଲେ ଡକାୟତମାନେ। ଦିନୁଟାରେ। କର୍ମଚାରୀଙ୍କୁ ବାନ୍ଧି ପକାଇଲେ ଏବଂ ଅଳ୍ପ ସମୟ ଭିତରେ ୩୦ କେଜି ସୁନା ଓ ୪ଲକ୍ଷ ଟଙ୍କା ନଗଦ ନେଇ ଫେରାର ହୋଇଗଲେ। ପୁଲିସ ଖୋଜୁଛି ସେମାନଙ୍କୁ। ରିପୋର୍ଟ ଲେଖାହେଲା ବେଳକୁ ସେମାନଙ୍କର ଟେର୍ ମିଳିନାହିଁ। ଡିସେମ୍ବର ୧୫ ରାଉରକେଲା। ତିନିଜଣ ସଶସ୍ତ୍ର ଦୁର୍ବୃତ୍ତ ରେଳବାଇ କଲୋନୀ ରୋଡ଼ରେ ଥିବା ଏକ ସୁନା ଦୋକାନରୁ ଦିନୁଟାରେ ଲୁଟି ନେଇଗଲେ ୫୧ଲକ୍ଷ ଟଙ୍କା। ଏଭଳି ଘଟଣା ରାଜ୍ୟରେ ବିଗିଡ଼ି ଯାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅତ୍ୟନ୍ତ ଅଶୁଭ ସଙ୍କେତ ଦେଉଛି। କେବଳ ସୁନା ଦୋକାନ ଲୁଟ୍ପାଟର କଥା ନୁହେଁ । ଚାରିଆଡ଼େ ଅପରାଧୀମାନେ ଖୁବ ସକ୍ରିୟ ହୋଇପଡ଼ିଛନ୍ତି। ସରକାରଙ୍କ ହାତରୁ ଖସିଯାଉଛି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବ୍ୟବସ୍ଥା। ଶାସନ ପରିବର୍ତ୍ତନ ପରେ ବୋଧହୁଏ ନୂଆ ଡିଜିପି ଓ ଏସ୍ପି ମାନେ ଦୃଢ଼ତାର ସହ ଅପରାଧ ନିୟନ୍ତ୍ରଣ କରିପାରୁ ନାହାନ୍ତି। ଯେତେବେଳେ ପୁଲିସ ଉପରୁ ଭୟ ତ୍ରୁଟି ଯାଏ ଅପରାଧୀଙ୍କର, ସେତେବେଳେ ଅପରାଧ ହାର ବଢ଼େ। ନୂଆବର୍ଷରେ ଏମିତି ଅନେକଗୁଡ଼ିଏ ଘଟଣା ଘଟିଲାଣି । କାହିଁକି କେଜାଣି ପୁଲିସ ଅତ୍ୟନ୍ତ କୋହଳ ମନୋଭାବ ଦେଖାଉଛି। ଏହା ସାଧାରଣ ଲୋକଙ୍କୁ ବିଚଳିତ କରିବ ଏବଂ କରିବ ଅସନ୍ତୁଷ୍ଟ। Post navigation ସମ୍ବଲପୁରରେ ୨ ବିଜେପି କର୍ମୀ ମୃତ; ଦୁର୍ଘଟଣା ନା ହତ୍ୟା ନେଇ ଉଠିଲା ପ୍ରଶ୍ନ ଭାଗଚାଷୀ ପାଇବେନି କୌଣସି ସହାୟତା