ଭାଷା ଗୋଟିଏ ଜାତିର ପ୍ରାଣ ଆବେଦନ ଓ ପରିଚୟ । କିନ୍ତୁ ବେଳେବେଳେ ଭାଷାଗତ ଦ୍ବନ୍ଦ୍ବ ଗୋଟିଏ ଜାତିର ମୂଳ ଅସ୍ମିତାକୁ ଦୋହଲାଇ ଦିଏ। ଏବେ ଓଡିଶାରେ ଦୁଇଟି ଶବ୍ଦ ଭିତରେ ଲଢେଇରୁ ଭାଷା ବିଷ ସଂକ୍ରମିତ କରୁଛି ଗୋଟିଏ ଜାତିକୁ । ଏ ଜାତିର ପରିଚୟ ଓଡିଶା ଓ ଓଡିଆ। କିନ୍ତୁ ଭାଷା ଲଢ଼େଇରେ ପରିଚୟ ନଷ୍ଟ ହେବାକୁ ବସିଛି । ଆଉ ୧୦ ବର୍ଷ ପରେ ଓଡିଶାକୁ ୧୦୦ ବର୍ଷ ହେବ । ଗୋଟିଏ ବିକଶିତ ରାଜ୍ୟ ପାଇଁ ନୂଆ ସରକାର ସଂକଳ୍ପ କରିସାରିଛନ୍ତି । ୯୦ ବର୍ଷ ଆୟୁଷର ଗୋଟିଏ ରାଜ୍ୟ ପାଇଁ ବିକାଶକୁ ଉତ୍କଳ-ଓଡିଶା-କୋଶଳ ଭିତରେ ଛନ୍ଦି ଦିଆଯାଇ ପାରିବ କି ? ଅଭୂତ ମାନସିକତା! ୧୯୦୩ରେ ଖଲ୍ଲିକୋଟର ରମ୍ଭାରେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଖଲ୍ଲିକୋଟର ରାଜା ଏହାର ମୁଖ୍ୟ ପୃଷ୍ଠପୋଷକ ଥିଲେ । ଚିନ୍ତାଧାରାଟି ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଉର୍ବର ମସ୍ତିଷ୍କରୁ ସୃଷ୍ଟି ହୋଇଥିଲା । ଗଞ୍ଜାମ ସମ୍ମିଳନୀ ଥିଲା ଉତ୍କଳ ସମ୍ମିଳନୀର ପ୍ରସ୍ତୁତିପର୍ବ । ଗଞ୍ଜାମ ସମ୍ମିଳନୀରେ ମଧୁବାବୁ, ଫକୀରମୋହନ ଏବଂ ଅନ୍ୟ ଓଡିଆପ୍ରେମୀମାନେ ଯୋଗ ଦେଇଥିଲେ । ନୂଆ ଉତ୍ସାହ ନେଇ ମଧୁବାବୁଙ୍କ ପୃଷ୍ଠପୋଷକତାରେ ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଥରେ ଭାବନ୍ତୁ, ଉତ୍କଳ ସମ୍ମିଳନୀ ହୋଇ ନଥିଲେ ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ସମ୍ଭବ ହୋଇଥାନ୍ତା କି ? ଓଡିଆ ଭାଷାଭାଷୀ କିଛି ଅଞ୍ଚଳ ମାନ୍ଦ୍ରାଜ ପ୍ରଦେଶ ସହ, କିଛି ମଧ୍ୟପ୍ରଦେଶ ସହ, କିଛି ବିହାର ସହ ମିଶିଯାଇଥାନ୍ତା । ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ ଏବଂ ପୁରୀ- ଏହାର ଭାଗ୍ୟ କ’ଣ ହୋଇଥାନ୍ତା ଭଗବାନ ଜାଣନ୍ତି । ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମର ଭୂମିକା ସବୁଠୁ ବେଶି। ପାରଳା ମହାରାଜ ଏବଂ ମୟୂରଭଞ୍ଜ ମହାରାଜଙ୍କ ସକ୍ରିୟ ସହଯୋଗ ବ୍ୟତିରେକେ ଓଡିଶା ପ୍ରଦେଶ ଗଠନ ଏଚେ ସହଜ ହୋଇ ନଥାନ୍ତା। ମଧୁବାବୁ ଓଡିଆ ପ୍ରାଣ ପାଇଁ ନିଷ୍ପ ହୋଇଗଲେ। ଏହି ଘଚନ୍ତ୍ର ଓଡିଶା ପ୍ରଦେଶ ଗଠନ ଦାବି ପାଇଁ କଂଗ୍ରେସଠୁ ନିଜକୁ ଦୂରେଇ ନେଇଥିଲେ ଉତ୍କଳ ପ୍ରାଣ ମଧୁସୂଦନ ଦାସ । ଏଥିପାଇଁ ଗୋପବନ୍ଧୁ ଦାସଙ୍କ ସହିତ ମତ ପାର୍ଥକ୍ୟ ହୋଇଥିଲା । ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ମଧୁବାବୁ ଆଜିର ଉତ୍କଳ ଓଡ଼ିଶା ଲଢ଼େଇରେ କି ପ୍ରକାର କଷ୍ଟ ପାଇଥିବେ, ତାହା କେବଳ ସେ ହିଁ ଜାଣିଥିବେ । ‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ’- ଉତ୍କଳ ସନ୍ତାନମାନେ କ’ଣ କେବଳ କଟକ, ପୁରୀ, ବାଲେଶ୍ଵର ଏବଂ ଗଞ୍ଜାମର ଓଡିଆ କହୁଥିବା ଲୋକେ ? ଗଙ୍ଗାଧର ମେହେର କେଉଁ ଭାଷା କଥା କହିଛନ୍ତି ? ମାତୃଭୂମି ଓ ମାତୃଭାଷାର ମମତା’ ଏହାର ଅର୍ଥ କ’ଣ ? ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ପୂର୍ବରୁ ସ୍ଵଭାବ କବି ଗଙ୍ଗାଧର ମେହେର ୧୯୧୪ ମସିହାରେ ତପସ୍ଵିନୀ କାବ୍ୟ ରଚନା କରିଥିଲେ। ଆଜି ଯେଉଁମାନେ କୋଶଳକୁ ଆଧାର କରି ଉତ୍କଳ ବିରୋଧରେ ବିଷ ମଞ୍ଜି ବୁଣିବା ଆରମ୍ଭକରିଦେଇଛନ୍ତି, ସେମାନେ ଗଙ୍ଗାଧରଙ୍କ ତପସ୍ବିନୀ ନିହାତି ପଢିବା ଦରକାର । ସୂତନ୍ତ୍ର ଓଡିଶା ପ୍ରଦେଶ ଗଠନରେ କୋଶକବାଦୀମାନଙ୍କର କି ଭୂମିକା ଥିଲା ? ବରଂ ପଶ୍ଚିମ ଓଡ଼ିଶାର ଯେଉଁ ଅଞ୍ଚଳ ମଧ୍ୟପ୍ରଦେଶ ସହ ଥିଲା, ସେହି ଅଞ୍ଚଳରେ ହିନ୍ଦୀ ଲଦି ଦେବା ପାଇଁ ଇଂରେଜ ଶାସକ ତରଫରୁ ଉଦ୍ୟମ ହୋଇଥିଲା । ଏହାକୁ ଲୋକେ ବିରୋଧ କରିଥିଲେ । କିନ୍ତୁ ଆଜି ଉତ୍କଳ ବିରୋଧରେ କାହିଁକି ସଂଗ୍ରାମ ? ଏହି ସଂଗ୍ରାମ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଏବଂ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ କରାଯାଇ ପାଇବା ନାହିଁ କି ? ଉତ୍କଳ ସମ୍ମିଳନୀ ପାଇଁ ଆମେ ଓଡିଶା ପାଇଛୁ । କୌଣସି ସଂକୀର୍ଣ୍ଣ ଭାବନାକୁ ନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ କବିତା ରଚନା କରି ନଥିଲେ । ସେ କେବେ ବି ସ୍ବପ୍ନରେ ଭାବି ନଥିବେ ଯେ ୧୯୧୨ ମସିହାରେ ସେ ଯେଉଁ କାଳଜୟୀ କବିତାଟି ରଚନା କରିଥିଲେ, ତାହାକୁ ଅସୂୟାବଶତଃ କିଛି ଲୋକ ବିରୋଧ କରିବେ । ସ୍ଵତନ୍ତ୍ର ଓଡିଶା ଗଠନ ପ୍ରଚେଷ୍ଟା ପୂର୍ବରୁ ଏହି କବିତା ରଚିତ ହୋଇଥିଲା । ଜାତୀୟ ସଂଗୀତରେ ଉତ୍କଳ ଅଛି। ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରୁଥିବା ନେତାମାନେ ଜାତୀୟ ସଂଗୀତକୁ ବି ବିରୋଧ କରିବେ କି ? ଆହୁରି ପୀଡା ଲାଗୁଛି, ବିଧାନସଭାରେ ପାରିତ ପ୍ରସ୍ତାବରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି । ପଶ୍ଚିମ ଓଡିଶାର ବିଧାୟକମାନେ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ କି ? ଆଜି କିନ୍ତୁ କାହିଁକି ? ଓଡିଶା ଯେତେବେଳେ ୧୦୦ ବର୍ଷ ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଲାଣି, ସେତେବେଳେ କୋଶଳକୁ ନେଇ ଆରମ୍ଭ ହୋଇଥିବା ବିବାଦ ଆଦୌ ସୃହଣୀୟ ହୋଇପାରୁ ନାହିଁ । ମହାଭାରତରେ କଳିଙ୍ଗ, ଉତ୍କଳିଙ୍ଗ ବିଷୟ ଉଲ୍ଲେଖ ଅଛି। ସେହି ମହାକାବ୍ୟରେ କୋଶଳ ଉତ୍ତରପ୍ରଦେଶର ଏକ ରାଜ୍ୟ ଭାବେ ବର୍ଣ୍ଣିତ ଅଛି । ବର୍ତ୍ତମାନ ଓଡ଼ିଶା ଏକ ରାଜ୍ୟ । ଓଡ଼ିଆ ଏକ ଜାତି । ଓଡିଆ ଏକ ଶାସ୍ତ୍ରୀୟ ଭାଷା । ଏହା ଉତ୍କଳର ଭାଷା ନୁହେଁ । ଏବେ ଏହା ଓଡ଼ିଶାର ଭାଷା ତେଣୁ ଏ ଭାଷା ବିବାଦ କାହିଁକି ? ଯେଉଁସବୁ ବିଷୟ ଉପରେ ସମଗ୍ର ରାଜ୍ୟର ଧ୍ୟାନ କେନ୍ଦ୍ରୀୟ ହେଲେ ଏକ ବିକଶିତ ଓଡିଶା ଗଠନ ସମ୍ଭବ ହୁଅନ୍ତା ଏବଂ ତାହା ସ୍ଵତନ୍ତ୍ର ଓଡିଶା ପ୍ରଦେଶ ପାଇଁ ଉତ୍ସର୍ଗୀକୃତ ନେତୃତ୍ୱ ସକାଶେ ମହାନ ଅର୍ଘ୍ୟ ହୁଅନ୍ତା, ସେହିସବୁ ମୌଳିକ ସମସ୍ୟାକୁ କାହିଁକି ଆମେ ଭୁଲିଯାଇ ଭାଷା ଓ ଶବ୍ଦ ଯୁଦ୍ଧରେ ମାଡିଯାଇଛୁ ବୁଝାପଡୁ ନାହିଁ । Post navigation ରତ୍ନଗର୍ଭା କେନ୍ଦୁଝର ଓ ଚକ୍ର-ବ୍ୟୁହ