ପ୍ରଥମେ ଭୁବନେଶ୍ୱରରେ ପ୍ରଣବ ପ୍ରକାଶ ଦାସଙ୍କ ଆଲିସାନ ମହଲାକୁ ନେଇ ବିବାଦ ଉଠିଲା। ଏପର୍ଯ୍ୟନ୍ତ ବିବାଦ ଥମି ନାହିଁ। ଦ୍ୱିତୀୟ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଧର୍ମଶାଳାର ପରାଜିତ ବିଧାୟକ ପ୍ରଣବ ବଳବନ୍ତରାୟ। ‘ବଲେ ବଲେ’ ଢାବାରେ ବେଆଇନ ମଦ କାରବାର ସହ ଲଜରେ ଅନୈତିକ କାରବାର ହେଉଥିବା ଅଭିଯୋଗ ଉଠିଛି। ବିଜେଡି ନେତ୍ରୀ ଏଲିନାଙ୍କ ନାମରେ ସ୍ବାମୀଙ୍କ ନାମରେ ଚାଲିଥିଲା ଢାବା। ପୂର୍ବ ବିଧାୟକ ଜିତୁ, ଅଭିନେତ୍ରୀ ଏଲିନା କିମ୍ବା ତାଙ୍କ ସ୍ୱାମୀ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି। ଏବେ ଆଉ ଏକ ବିବାଦ ଉଠିଲାଣି କୁସୁମା ରଙ୍ଗଶାଳାକୁ ନେଇ।

୬ ବର୍ଷ ତଳେ ମାର୍ଚ୍ଚ ୨୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସିଦ୍ଧ କୁସୁମା ପାର୍କରେ ଥିବା ରଙ୍ଗଶାଳା ଉଦ୍ଘାଟନ କରିଥିଲେ। କିନ୍ତୁ ଏବେ ହଠାତ ଉଦ୍ଘାଟିତ ରଙ୍ଗଶାଳା ସାଙ୍ଗକୁ ଆଉ କିଛି ଏଭଳି ଅତିଥି ଭବନ ଚର୍ଚ୍ଚାଘେରକୁ ଆସିଯାଇଛି। ମୋହନ ସରକାରଙ୍କ ନଜର ପଡୁ ବୋଲି ସ୍ଥାନୀୟ ଲୋକେ ଦାବି କରିବା ଆରମ୍ଭ କରିଦେଲେଣି।

ଏକଥା ସତ ଯେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଯୋଗୁଁ କୁସୁମା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଥିଲା। ଯାଜପୁରକୁ ଏକ ନୂଆ ପରିଚୟ ମିଳିଥିଲା। ପ୍ରତିଦିନ ଶହଶହ ପର୍ଯ୍ୟଟକ ଆକୃଷ୍ଟ ହେଉଥିଲେ। କିନ୍ତୁ ଏହି କୁସୁମା ପାର୍କ ଓ ପୁଷ୍କରିଣୀ ନିର୍ମାଣ ବେଳେ ଅନେକ ଲୋକଙ୍କ ଜୀବନଜୀବିକା ଯାଇଛି। ବ୍ୟବସାୟୀମାନେ ସ୍ଥାନାନ୍ତରିତ ହୋଇଛନ୍ତି। କୁସୁମା ବିକାଶ ଅଭିଯାନରେ କେତେ ଅର୍ଥ ବିନିଯୋଗ ହୋଇଛି ତା’ର କୌଣସି ଅର୍ଥ ପ୍ରଶାସନ ଦିଏ ନାହିଁ। ଅଭିଯୋଗ ହୋଇଥିଲା ଯେ ଏକ ବିରାଟ ଦୁର୍ନୀତିର କେନ୍ଦ୍ର। ଏଥିରେ ୪୦୦ କୋଟି ଟଙ୍କା ବିନିଯୋଗ ହୋଇଥିବା ଚର୍ଚ୍ଚା ହୋଇଥିଲା। ତେବେ ମାନିବାକୁ ପଡିବ ଯେ ଏହା ଏକ ସୁନ୍ଦର ପ୍ରକଳ୍ପ। ତେବେ ସୌନ୍ଦର୍ଯ୍ୟ ପାଇଁ ଦୁର୍ନୀତିକୁ ସବୁଦିନ ଘଣ୍ଟା ଘୋଡାଯାଇ ପାରିବ ନାହିଁ।

କୁସୁମାର ଅତିଥି ଭବନକୁ ଲୋକେ ଏବେ ରଙ୍ଗଶାଳା କହିବା ଆରମ୍ଭ କଲେଣି। ଏଠାକୁ କେଉଁମାନେ ଆସନ୍ତି ? କେମିତି ରହନ୍ତି ? କିଛି ଭିତିରିଆ ଦିଲ ହୁଏ କି ନାହିଁ ? ଏସବୁ ପ୍ରଶ୍ନକୁ ନେଇ ବଲେ ବଲେ ଢାବା ଓ ଭୁବନେଶ୍ୱରର ବବିଙ୍କ ଘର ବିବାଦରେ ଲୋକେ ଆଲୋଚନା ଆରମ୍ଭ କରିଦେଲେଣି।

ଏହା ମଧ୍ୟ ଚର୍ଚ୍ଚା ଯେ ଜଣେ ପୂର୍ବତନ ଜିଲ୍ଲାପାଳ ଏଠାରେ ରାତ୍ରିଯାପନ କରିବାକୁ ଆସନ୍ତି। ନେତା, ପ୍ରଶାସନିକ ଅଧିକାରୀ, ଏପରିକି କିଛି ସାମ୍ବାଦିକ ମଧ୍ୟ ବିଜେ କରନ୍ତି ରଙ୍ଗଶାଳାକୁ। ପଛ ଗୁପ୍ତ ଗେଟ ଦେଇ କେଉଁମାନେ ଆସନ୍ତି, ସେସବୁକୁ ନେଇ ପାଖ ପଡ଼ିଶାଙ୍କ ମଧ୍ୟରେ ରୋଚକ ଆଲୋଚନା ହେଉଛି। କୁସୁମାରେ ଏବେ ବି ଯୁବତୀ ଓ ମହିଳାମାନେ ରାତ୍ରୀ ଜଗୁଆଳୀ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ରାତିରେ ମହିଳା ଜଗୁଆଳୀ କାହିଁକି ? ଏପ୍ରଶ୍ନ ମଧ୍ୟ ଲୋକେ ଉଠାଇଲେଣି। ତେଣୁ କୁସୁମା ରଙ୍ଗଶାଳା ଉପରୁ ପରଦା ହଟିବ କି ନାହିଁ, ଏହାକୁ ନେଇ ଲୋକଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା।

Leave a Reply

Your email address will not be published. Required fields are marked *