ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଶୁଭ ମୁହୂର୍ତ୍ତ। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ରତ୍ନଭଣ୍ଡାର ଖୋଲିବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି। ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଯିବେ। ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯିବେ ବୋଲି ସେ ସୂଚନା ମିଳିଛି। ଏଥିସହ ଦେଉଳ କରଣ, ତଢ଼ଉକରଣ ଭିତରକୁ ଯିବେ। ଗଜପତିଙ୍କ ପ୍ରତିନିଧି, ଏଏସଆଇ ଟିମ ସଦସ୍ୟ ଓ ପରିଚାଳନା କମିଟିର ୨ ଜଣ ଭିରତକୁ ଯିବେ ବୋଲି ଜଣାପଡିଛି।

ଦିନ ୧୨ଟା ବେଳେ ସମସ୍ତେ ଶ୍ରୀମନ୍ଦିରକୁ ଯିବେ। ପ୍ରଥମେ ବିମଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ତାଙ୍କର ଅନୁମତି ଲୋଡ଼ାଯିବ। ତେଣେ ଚାବି ଖୋଲାଯିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ ବିଶ୍ବନାଥ ରଥ ।

ରତ୍ନଭଣ୍ଡାର ଖୋଲିବା ସମୟରେ ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ, ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି। ଠାକୁରଙ୍କ ଖଟଶେଜ ଘରକୁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଏଠାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ମଣତି ପର୍ଯ୍ୟନ୍ତ ଗଚ୍ଛିତ ରଖାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *