ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ୍‌ ଆତଙ୍କ। ଦିନକୁ ଦିନ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ । ବିଶେଷ କରି ସହରର କୁମ୍ଭାରପଡା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ।ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାକୁ ଆଖି ଆଗରେ ରଖି ଭୁବନେଶ୍ବରରୁ ଏକ ସ୍ବାସ୍ଥ୍ୟ ଟିମ୍ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଛନ୍ତି। ଏହି ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ଅନ୍ୟପଟେ ଗୁପଚୁପ, ଦହିବରା ଓ ଚୁସକି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ପିଏଚଡି ପାଣିକୁ ନେଇ ଆଶଙ୍କା ପ୍ରକାଶ କରାଯାଉଛି ।

ସମ୍ବଲପୁରରେ ବ୍ୟାପିଥିବା ଜଣ୍ଡିସ ଉପରେ ମନ୍ତ୍ରୀ ସମୀକ୍ଷା କରି କହିଛନ୍ତି, ଏହା ଉପରେ ଆମେ ନଜର ରଖିଛୁ। ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ୍‌ ସବୁ ବଦଳାଯାଉଛି। ୱାଟ୍‌କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍‌ ସବୁକୁ ତନଖି କରାଯାଇଛି। ତେବେ ଅନେକ ଘରକୁ ନାଳ ତଳ ଦେଇ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ ଲାଇନ୍‌ ଯାଇଛି। ଆଉ ସେଥିରୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ୁଛି। ତେବେ ଆଗାମୀ ୪ ଦିନ ମଧ୍ୟରେ ଏହି ସବୁ ବେଆଇନ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡ଼ିଲେ ସେ ନିଜେ ସମ୍ବଲପୁର ଯାଇ ଘଟଣାର ସମୀକ୍ଷା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଜଣ୍ଡିସ ନ ବ୍ୟାପିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରାଯାଉଛି। ସହରରେ ଆବଶ୍ୟକସ୍ଥଳେ ସ୍ବଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହ ହାଲୋଜିନ୍‌ ବଟିକା ବିତରଣ କରିବା ଓ ସମସ୍ତ ବେଆଇନ ପାଣି ସଂଯୋଗକୁ ବିଚ୍ଛିନ୍ନ କରିବାକୁ କୁହାଯାଇଛି। ମହାନଗର ନିଗମ ଖାଦ୍ୟ ଓ ପାନୀୟ ଜଳର ସ୍ବଚ୍ଛତା ପରୀକ୍ଷା କରିବା ସହ ଏହାର ଗୁଣବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *