ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଗିରଫ ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଆଶ୍ୱସ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଆଜି ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ୩୦ ହଜାର ଟଙ୍କା ଏବଂ ଜଣେ ଜାମିନଦାରଙ୍କ ବଦଳରେ ମାନ୍ୟବର ଅଦାଲତ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି । ଜଗନ୍ନାଥଙ୍କ ଓକିଲ କହିବା ମୁତାବକ ଜଗନ୍ନାଥ ପ୍ରଧାନ ସିଧାସଳଖ ଭାବେ ଏହି ମାମଲାରେ ଜଡ଼ିତ ନ ଥିଲେ । ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ । କିନ୍ତୁ ତାଙ୍କ ନାଁରେ ଅଭିଯୋଗ ହୋଇଥିବାରୁ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ସମସ୍ତ କାଗଜପତ୍ର କାମ ପରେ ଆଜି ସନ୍ଧ୍ୟା ସୁଦ୍ଧା ଜଗନ୍ନାଥ ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସୂଚନା ଯୋଗ୍ୟ; ଜୁନ ୩୦ରେ ବିଏମସି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରାଯାଇଥିଲା । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ଏହାପରେ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୋଲିସ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ଓଏଏସ୍ ସଂଘ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ କଲମଛାଡ଼ ଆନ୍ଦୋଳନ କରିଥିଲେ । ଫଳରେ ଜଗନ୍ନାଥ ପ୍ରଧାନ ଜୁଲାଇ ୩ ତାରିଖ ରାତିରେ କମିଶନରେଟ୍ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । Post navigation ଖୁବ୍ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ ଗୁଜରାଟରେ ଭୁଶୁଡ଼ିଲା ବ୍ରିଜ; ୯ ମୃତ, ୧୦ ଗୁରୁତର