ଦେଶର ବଡ଼ ଏୟାରଲାଇନ୍ ଇଣ୍ଡିଗୋର ଉଡ଼ାଣ ଗୁରୁତର ଭାବେ ପ୍ରଭାବିତ ହେବାରୁ ଦେଶବ୍ୟାପୀ ଯାତ୍ରୀମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡ଼ିଛି । ଏହି ଘଟଣା ଦ୍ୱାରା ପ୍ରଭାବିତ ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଇଣ୍ଡିଗୋ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛି । ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଏହି ସୂଚନା ଦେଇଛନ୍ତି । ଇଣ୍ଡିଗୋ ସଙ୍କଟକୁ ନେଇ ଭାରତ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ କମ କରିବା ପାଇଁ ସରକାର ଏକ ୨୪x୭ ନିୟନ୍ତ୍ରଣ କକ୍ଷ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାର ଇଣ୍ଡିଗୋକୁ ନୂଆ ଉଡ଼ାଣ ଡ୍ୟୁଟି ସମୟ ସୀମାରୁ ମୁକ୍ତି ଦେଇଛନ୍ତି । ସ୍ଥିତି ସମୀକ୍ଷା ସହ ତଦନ୍ତ କରିବା ପାଇଁ ୪ ଜଣିଆ କମିଟି ଗଠନ କରାଯାଇଛି । ୧୫ ଦିନ ମଧ୍ୟରେ DGCA ନିକଟରେ କମିଟି ରିପୋର୍ଟ ଦାଖଲ କରିବ । ରିପୋର୍ଟ ଅନୁଯାୟୀ, ଲଗାତାର ଦୁଇ ଦିନ ଧରି ସାରା ଦେଶରେ ଶହ ଶହ ଉଡ଼ାଣ ବାତିଲ କରାଯାଇଛି। କେବଳ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଏବଂ ହାଇଦ୍ରାବାଦରେ ମୋଟ ୧୯୧ ଉଡ଼ାଣ ପ୍ରଭାବିତ ହୋଇଛି । ବ୍ୟାପକ ବାତିଲକରଣ ଯୋଗୁଁ ବିମାନବନ୍ଦରଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ବିମାନ କମ୍ପାନି ଏକ ବିବୃତ୍ତି ଜାରି କରିଛି । ଇଣ୍ଡିଗୋ କହିଛି ଯେ ଗତ ଦୁଇ ଦିନ ମଧ୍ୟରେ ଏହାର ନେଟୱାର୍କ ଏବଂ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି ହୋଇଛି । ଏଭଳି ତ୍ରୁଟିର ପୁନରାବୃତ୍ତି ଯେପରି ନ ହେବ ଧ୍ୟାନ ଦେବୁ ତଥା ବାତିଲ୍ ଟିକେଟର ପୂର୍ଣ୍ଣ ଅର୍ଥ ଗ୍ରାହକଙ୍କୁ ଫେରସ୍ତ କରିବୁ ବୋଲି ଇଣ୍ଡିଗୋ କହିଛି । Post navigation New President of Bbsr Congress Committee: ଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେବ: ଭକ୍ତ ଦାସ IndiGo Crisis: ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ ରେଲୱେ