ନିଜ ଦୃଷ୍ଟିକୋଣ ନେଇ ଯେକୌଣସି ବ୍ୟକ୍ତିଙ୍କୁ ଚିତ୍ରିତ କରାଯାଇପାରେ । ସମ୍ପୂର୍ଣ୍ଣ ବିଦ୍ଵେଷ ଭାବ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୃର୍ମୁ ଦେବାକୁ ଚେଷ୍ଟା କରେ କଂଗ୍ରେସ। ରାଜନୈତିକ ଉଦ୍ଦେଶ୍ୟ ରଖି ବିଜଦ ସଭାପତି ନବୀନ ପଟନାୟକ ରାଷ୍ଟ୍ରପତିଙ୍କୁ ସାମୟିକ ସମୟ ପାଇଁ ଧର୍ମ ଭଉଣୀ ବନାଇ ଦେଇପରାନ୍ତି । ଭାରତୀୟ ଜନତା ପାର୍ଟି ଦ୍ରୌପଦୀଙ୍କୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଏବଂ ଜନଜାତି ଉଚ୍ଚରଣର ପ୍ରତୀକ ଭାବେ ଉପସ୍ଥାପନ କରିପାରେ । କିନ୍ତୁ ମୁଁ କେମିତି ଦେଖିଲି ମହାମହିମ ରାଷ୍ଟ୍ରପତିଙ୍କୁ ? ପ୍ରତିବର୍ଷ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ରେ ଏକ ସାନ୍ଧ୍ୟ ଜଳପାନ ପର୍ବରେ ରାଷ୍ଟ୍ରପତି ଅର୍ଜିଅମାନଙ୍କୁ ଆପ୍ୟାୟିତ କରିଥାନ୍ତି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ପରିଷଦର ସଦସ୍ୟ, କୂଟନୀତିଜ୍ଞ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆଟ୍ ହୋମ୍କୁ ଆମନ୍ତ୍ରଣ ମିଳିଥାଏ । ସୌଭାଗ୍ୟକୁ ଏଥର ମୋତେ ଆମନ୍ତ୍ରଣ ମିଳିଥିଲା । ଅନେକ କିଛି ଧାରଣା ହେଲା ପ୍ରୋଟୋକଲ ବିଷୟରେ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ, ମହାମହିମଙ୍କ ପରିବାର ବର୍ଗ ପାଖରେ ଶେଷ । ସମସ୍ତେ ଛିଡ଼ା ହେବେ ଧାଡ଼ିଲେ । ମୋ ପାଳି ପଡ଼ିଲା ବେଳକୁ ରାଷ୍ଟ୍ରପତି ମୁହଁକୁ ଅନାଇ କେବଳ ଏତିକି କହିଲେ ଓହୋ । ତାଙ୍କର ବିନୟ ଭାବକୁ ସମସ୍ତେ ପ୍ରଶଂସା କରୁଥିଲେ । ୧୬ ତାରିଖ ଦିନ ସକାଳ ୯.୨୦ରେ ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ମୁଁ ଏବଂ ପତ୍ନୀ ଭେଟିଥିଲୁ । କିନ୍ତୁ ଭେଟିବା ପୂର୍ବରୁ କେମିତି ଯିବୁ, କେମିତି ଆମ ସମ୍ପର୍କରେ ଜଣେ ସୂଚନା ଦେବେ, ମହାମହିମ ଆଗରୁ ବସିଥିବେ, ଆମକୁ କେତେ ଦୂରତାରେ ତାଙ୍କୁ ଅଭିବାଦନ କରିବାକୁ ପଡ଼ିଦ, ତାଙ୍କ ପାଖକୁ ଯିବା ପରେ ଫଟୋ ଉଠିବ ଏବଂ ପରେ ନିର୍ଦ୍ଦିଷ୍ଟ ଜାଗାରେ ବସି ତାଙ୍କ ସହିତ ଆଲୋଚନା କରିବୁ ଏକଥା ଜଣେ ସେନା ଅଧିକାରୀ ଆମକୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଦ୍ରୌପଦୀ ମୃର୍ମୁ ଓଡ଼ିଶାର ଝିଅ। ପ୍ରଥମ ନବୀନ ମନ୍ତ୍ରୀମଣ୍ଡଳରେ ସେ ମନ୍ତ୍ରୀ ଥିବାବେଳେ ତାଙ୍କ ସହ ଭେଟ ହୋଇଥିଲା ଅଳ୍ପ ସମୟ ପାଇଁ ବ୍ୟକ୍ତିଗତ ସଚିବ ବିଜୟ ନାୟକଙ୍କ ଘରେ । କିନ୍ତୁ ଏତେ ପାଖରୁ ଏବଂ ଏତେ ସାବଲିନ ଭାବେ ତାଙ୍କ ସହ କଥାବାର୍ତ୍ତା ମୋ ମନରେ ଏକ ନୂଆ ପୁଲକ ଭରିଦେଲା। ଗୋଟିଏ ବାକ୍ୟରେ ଯଦି ମୋତେ ବୁଝାଇବାକୁ ପଡ଼େ ତେବେ ଇଂରାଜୀରେ ହେବ ‘ଏ ଲେଡି ୱିଥ୍ ଏ ଗୋଲ୍ଡେନ୍ ହାର୍ଟ । ଓଡ଼ିଆରେ ସୁନା ହୃଦୟର ମହିଳା କହିଲେ ରାଷ୍ଟ୍ରପତି ମୁର୍ମୁଙ୍କୁ ମୁଁ ଠିକଭାବେ ବୁଝାଇ ପାରିବି ନାହିଁ । ମୁଁ କହିବି, ସେ ଜଣେ ହୃଦୟବତୀ ମହିଳା । ସେ ହୃଦୟ ସୁନା ଠାରୁ ବି ଅଧିକ ଝଲସି ଉଠୁଥିବା ହୀରା ପରି । ନିର୍ମଳ, କୋମଳ, ମାଆ ପରି ମହିଳା ଜଣେ । ମୁଁ ଏବଂ ପତ୍ନୀ ମମତା ଅବାକ୍ ହୋଇପଡ଼ିଥିଲୁ ଯେତେବେଳେ ମହାମହିମ ନିର୍ଭୟ ଗୁମରକଥାର ଜଣେ ଉଚ୍ଚ ପ୍ରଶଂସକ ବୋଲି କହିଥିଲେ । କେବଳ ସେତିକି ନୁହେଁ, ମୋରି ଅବିକଳ ଢଙ୍ଗରେ ଛାତି ଉପରେ ହାତକୁ ଆଣି କହିଥିଲେ ମୁଁ ନବୀନ ଦାସ ନିର୍ଭୟରେ। ଜୀବନ ଧନ୍ୟ ହେଲା ପରି ଲାଗିଲା । ମହାମହିମଙ୍କଠୁ ଏଭଳି ପ୍ରଶଂସା ମୋ ସାଧନାର ଏକ ବିରାଟ ସ୍ଵୀକୃତି ବୋଲି ଧରିନେଲି। ପତ୍ନୀଙ୍କ ମାମୁଁ ଘର ରାଇରଙ୍ଗପୁରରେ । ଦ୍ରୌପଦୀ ହେଉଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟିକା । ପରିଚୟ ପର୍ବ ପରେ ଆପଣପଣ ଏମିତି ଝରିପଡ଼ିଥିଲା ମହାମହିମଙ୍କ ମୁଖ ଓ ତୁଣ୍ଡରୁ, ଯାହା ଆମ ଦମ୍ପତିଙ୍କୁ ସମ୍ପୂର୍ଣ୍ଣ ଅବିଭୂତ କରିଦେଇଥିଲା। ଲାଗିଲା ନିଜର । ନିଜ ପରିବାରର ଜଣେ ମୁରବୀ । ମମତାଙ୍କୁ ତାଙ୍କ ଆଣ୍ଠୁ ସମସ୍ୟା ପାଇଁ ଆୟୁର୍ବେଦିକ ଉପଚାର ବଢାଇଲାବେଳେ ସେ କହୁଥିରେ ତାଙ୍କର ବି ଏମିତି ସମସ୍ୟା ଥିଲା । କିନ୍ତୁ ଆୟୁର୍ବେଦିକ ଔଷଧ ସେବନ ପରେ ଏବେ ସେ ସମସ୍ୟାରୁ ମୁକ୍ତ । କିଭଳି ଜଡ଼ିବୁଟିରୁ ଔଷଧ ତିଆରି କରି କିଭଳି ଖାଇବାକୁ ପଡ଼ିବ ମମତାଙ୍କୁ ବୁଝାଇଲା ବେଳେ ମୁଁ ତାଙ୍କୁ କେବଳ ଦେଖୁଥିଲି । ଘିକୁଆଁରୀ, ଗୁଡ଼ୁଚି, ଅପରାଜିତା ପତ୍ର, ଗୋଲମରିଚ, ସଜନା ପତ୍ର ଏବଂ ପୂର୍ଣ୍ଣନଭାକୁ ଛେଚି ତାହାର ରସକୁ ଅଳ୍ପ ପାଣିରେ ମିଶାଇ ଖାଇବାକୁ ପଡ଼ିବ । ରାଷ୍ଟ୍ରପତି କହୁଥିଲେ, ପ୍ରଥମେ ଖାଇବାକୁ ଭାରି ଖରାପ ଲାଗିବ। ଅଭ୍ୟାସ ହୋଇଗଲେ ସବୁ ଠିକ। କିନ୍ତୁ ସବୁଦିନ ଖାଇବା ଦରକାର ନାହିଁ। ଆଣ୍ଠୁ ବ୍ୟଥା କମି ଗଲେ ଏହି ଔଷଧ ବନ୍ଦ । ପୁଣି କିଛି ଦିନ ବ୍ୟବଧାନରେ ଖାଇଲେ ଭଲ। ପୁରା କବିରାଜ ଭଳି ରାଷ୍ଟ୍ରପତି ବୁଝାଉଥିଲେ ଯେ ଅରଖପତ୍ରକୁ ତେଲ ବୋଳି ଦୁଇ ଆଣ୍ଠୁରେ ରଖିଦେବ। ତାଓ୍ବାରେ କପଡ଼ା ଗରମ କରି ଆଣ୍ଠୁରେ ଲଗାଇବା କଷ୍ଟ । ମୁଁ ଯେମିତି କରେ ସେମିତି କରିବ । ଆଇରନରେ କପଡ଼ା ଲଗାଇ ଅରଖପତ୍ର ଉପରେ ସେକ ଦେବ । ବ୍ୟଥା ନିଶ୍ଚିତ କମିବ। ନିଜେ ଲେଖା ପ୍ୟାଡ୍ ବାହାର କରି ପ୍ରଥମେ ଲେଖିବା ଆରମ୍ଭ କରି ମୋ ହାତକୁ ବଢାଇ ଦେଇ କହିଲେ ଏହିସବୁ କବିରାଜି ଜଡ଼ିବୁଟି ଔଷଧ ଲେଖିନିଅ। ଆହୁରି ଗପିବାକୁ ଚାହୁଁଥିଲେ ମହାମହିମ। ତାଙ୍କରି ଜରାଜ୍ୟର ଲୋକ ବାଲି ବୋଧହୁଏ ଏତେ ଖୋଲାକଥା କହିଚାଲିଥିଲେ ସେ। ପତ୍ନୀଙ୍କୁ ଲକ୍ଷ୍ୟ କରି ରାଷ୍ଟ୍ରପତି କହିଥିଲେ ନବୀନ ବାବୁ ସ୍ପଷ୍ଟ କଥା କହନ୍ତି । ମୁଁ କହିଥିଲି ସେଥିପାଇଁ ତ କଷ୍ଟ ବି ଅନେକ। ହସିଦେଇ ସେ କହିଥିଲେ, ସେକଥା ସତ । କିନ୍ତୁ ଭଗବାନ ଏହାର ଫଳ ଦେବେ। ତାଙ୍କ ପାଇଁ ନେଇଥିବା ଆରିସା ପିଠା ମୁଁ ନିଶ୍ଚୟ ଖାଇବି ବୋଲି କହିଥିଲେ ମହାମହିମ ଦ୍ରୌପଦୀ ମୁର୍ମୁ। ବିଦାୟ ନେଲା ବେଳେ ସେ ଆମକୁ ଓ ନିର୍ଭୟକୁ ଶୁଭେଚ୍ଛା ଜଣାଇଥିଲେ। ସବୁଦିନ ସଦ୍ଦିଚ୍ଛା ରହିବ ବୋଲି କହିଥିଲେ। ନିର୍ଭୟର ବାର୍ଷିକ ଉତ୍ସବ ପାଇଁ ବାର୍ତ୍ତା ପଠାଇବେ ବୋଲି ଆମକୁ ଭରସା ଦେଇଥିଲେ। ଆପଣାର ଲୋକଙ୍କ ପାଖରୁ ଆସିଲା ବେଳେ ଅନେକଗୁଡ଼ିଏ ଆବେଗ ଓ ଅନୁଭବ ସାଥୀରେ ଧରି ଫେରିଆସିଥିଲୁ । Post navigation ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ସୁସ୍ଥ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ