ଆଜି ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ରଙ୍ଗର ପର୍ବ ହୋଲିକୁ ନେଇ ସାରା ଦେଶ ଆନନ୍ଦ ଏବଂ ଉତ୍ସାହ ଦେଖାଯାଇଛି। ପ୍ରତିବର୍ଷ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଏହି ଉତ୍ସବକୁ ସାରା ଦେଶରେ ବହୁ ଆଡ଼ମ୍ବରରେ ପାଳନ କରାଯାଏ। ଏହାକୁ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ପୁରୁଣା ଶତ୍ରୁତା ଭୁଲି ବନ୍ଧୁତାର ହାତ ବଢ଼ାଇଥାନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ସମସ୍ତେ ହୋଲିର ଶୁଭେଛା ଜଣାଉଛନ୍ତି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳୁଛନ୍ତି।

ରଙ୍ଗର ପର୍ବ ହୋଲି ଅବସରରେ, ଓଡ଼ିଶାର ରାଜନୈତିକ ନେତାମାନେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାରୀ ପରିଡା ଓ ଅନ୍ୟାନ୍ୟ ରାଜନେତା ମାନେ ରାଜ୍ୟ ବାସୀଙ୍କୁ ନିଜ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ହୋଲି ପାଇଁ କଡା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ୱର ଓ କଟକ ।  ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସପି ଦାୟିତ୍ୱରେ ରହିଛନ୍ତି । ୧୭ଟି ମୋବାଇଲ ପାର୍ଟି ପଇଁତରା ମାରିବେ । ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ହେବ । ୧୦ ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଓ ଓଡ୍ରାଫ ଟିମ ମୁତୟନ ରହିବେ । ୪ ଟି ଷ୍ଟ୍ରାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିବେ ।

ଏହାସହ ରାସାୟନିକ ରଙ୍ଗ ବ୍ୟବହାର ନକରିବାକୁ ସୂଚନା ଦେଇଛି କମିଶନରେଟ ପୋଲିସ । ବିଶୃଙ୍ଖଳାକାରୀଙ୍କ ଉପରେ ପୋଲିସର ନଜର ରହିଛି ।

Leave a Reply

Your email address will not be published. Required fields are marked *