ପାଦ ତଳୁ ମାଟି ଧସିଯାଇଛି…ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ… ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି । ଲୁହ ଆଉ ଶୋକ ଭିତରେ ଜଡ଼ସଡ଼ ପତ୍ନୀ ସହ ବୃଦ୍ଧ ବାପା-ମା’ । କୋହ ଆଉ ଲୁହରେ ବତୁରି ଯାଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁ ।

ସର୍ବଗ୍ରାସୀ ନିଆଁ କେଉଁଠି ଥିଲା କେଜାଣି, କୁଏତରେ ରୋଜଗାରିଆ ଭେଣ୍ଡିଆ ପୁଅ ସନ୍ତୋଷ ଗୌଡ଼ଙ୍କ ଜୀବନ ନେଇଗଲା ଅଦିନରେ । ବୟସ କହିଲେ ମାତ୍ର ୩୮ ବର୍ଷ । ଆଜିକୁ ୨ ବର୍ଷ ହେଲା, କୁଏତର ମଙ୍ଗାଫ ସହରର ଏକ ସପିଂ ମଲରେ କାମ କରୁଥିଲେ । ଆଉ ସେହି ରୋଜଗାର ଟଙ୍କାରେ ଗତ ମାର୍ଚ୍ଚରେ ବାପାଙ୍କ ହାର୍ଟ ଅପରେସନ୍ କରିବା ସହ ପୁଣି ବାହୁଡ଼ି ଯାଇଥିଲେ କୁଏତକୁ ।

କିନ୍ତୁ ବୁଧବାରର କାଳରାତିରେ ଘଟିଥିବା ଅଗ୍ନିକାଣ୍ଡରେ ଜଳିପୋଡ଼ି ପ୍ରାଣ ହରାଇଲେ ସନ୍ତୋଷ । ଅନ୍ୟ ଏକ ଘଟଣାକ୍ରମରେ ପତି-ପତ୍ନୀଙ୍କର ସୁଖର ସଂସାର ଚାଲିଥିଲା । କେତେ ଫଟୋ ଉଠାଉଥିଲେ, ଖୁସି ମନଉଥିଲେ । ଜୀବନରେ ଆଉ କେବେ ଫଟୋ ଉଠାଇ ପାରିବେନି ଏହି ଦମ୍ପତ୍ତି । କାରଣ ଜୀବିକା ପାଇଁ ଦରିଆପାରିକୁ ଯାଇ ଆରପାରିକୁ ଚାଲିଯାଇଛନ୍ତି ସ୍ୱାମୀ ।

୭ ମାସର ଗର୍ଭବତୀ ଥିବା ପତ୍ନୀକୁ ନିସଙ୍ଗ କରି ବାହୁଡ଼ି ଯାଇଛନ୍ତି ଅଫେରା ବାଟ ଦେଇ । ଏ ହେଲେ କଟକ ତିଗିରିଆ ଥାନା କରଡ଼ାପଲ୍ଲୀର ୩୩ ବର୍ଷିୟ ମହମ୍ମଦ ଜହୁର । କୁଏତ ମଙ୍ଗଫ୍ ସହରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ସିବିଲ୍ ଲାବୋରାଟୋରୀ ଟେକ୍ନିସିଆନ ଭାବେ ।

ବୁଧବାର ଭୋର ସମୟର କଥା । ମସଜିଦରେ ନମାଜ ପାଠପରେ ସେହି ଅଭିଶପ୍ତ କୋଠାର ୫ ମହଲାରେ ଥିବା ନିଜ ରୁମକୁ ଫେରୁଥିଲେ । ଠିକ୍ ସେହି ସମୟରେ ଲାଗି ଯାଇଥିଲା ନିଆଁ । ଏହାଦେଖି ରୁମରେ ଶୋଇଥିବା ଅନ୍ୟ ସାଥୀଙ୍କୁ ଜହୁର ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ ।

Leave a Reply

Your email address will not be published. Required fields are marked *