ଫକୀର ମୋହନ କଲେଜରେ ଆତ୍ମାହୁତି ଉଦ୍ୟମ ଓ ପରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି । ପୂର୍ବରୁ ବାଲେଶ୍ବର ପୁଲିସ କଲେଜ ଅଧ୍ୟକ୍ଷ ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଥିଲା । ରବିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ୨ ଛାତ୍ର ନେତାଙ୍କୁ ଗିରଫ କରିବା ପରେ ଏବେ ଅନେକଙ୍କ ହୃଦ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି । ଆଇସିସି ସଦସ୍ୟମାନଙ୍କୁ କ୍ରାଇମବ୍ରାଞ୍ଚ ତୁହାକୁ ତୁହା ଜେରା କରୁଥିଲା ବେଳେ ସେମାନଙ୍କ ମନରେ ମଧ୍ୟ ବଢ଼ିବାରେ ଲାଗିଛି ଗିରଫଦାରୀ ଭୟ ।

କ୍ରାଇମବ୍ରାଞ୍ଚକୁ ଏହି ଘଟଣାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କିଛି ଛାତ୍ର ନେତାଙ୍କ ସମ୍ପୃକ୍ତି ଥିବା ଏକ ପ୍ରକାର ନିର୍ଦ୍ଦିଷ୍ଟ ସୂଚନା ମିଳିଥିବା ବେଳେ ରାଜନୈତିକ ଚାପରେ କାଳେ ସେମାନଙ୍କୁ ଗିରଫ କରିବ ନାହିଁ ବୋଲି ଆଶଙ୍କା ଦେଖା ଦେଇଥିଲା । ମାତ୍ର ଘଟଣାର ୨୦ ଦିନ ପରେ ଅର୍ଥାତ ରବିବାର ରାତିରେ ଏବିଭିପି ସହ ଜଡ଼ିତ ଦୁଇ ଜଣ ଗିରଫ ହେବା ପରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ରାଜ୍ୟ ସରକାର କୌଣସି ଚାପର ବଶବର୍ତ୍ତୀ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଛାତ୍ରୀ ଆତ୍ମାହୁତି ଘଟଣାରେ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିରୋଧୀ ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିବା ଭଳି ପଦକ୍ଷେପ ନେବାରେ ସରକାର ସଫଳ ହୋଇପାରିଛନ୍ତି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି ।

ଛାତ୍ରୀ ମୃତ୍ୟୁ ଘଟଣାକୁ ୨୦ଦିନ ବିତିଯାଇଥିଲା ବେଳେ ରବିବାର ଦୁଇ ଛାତ୍ରନେତାଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଆଉ ଏହି ସମୟରେ ଏକ ନୂଆ ଭିଡିଓ ଆସିଛି ସାମ୍ନାକୁ । ଆତ୍ମାହୁତି ଉଦ୍ୟମ ଦିନ ଅର୍ଥାତ୍ ଜୁଲାଇ ୧୨ ତାରିଖରେ ପୀଡ଼ିତା ସାଇକେଲରେ ପେଟ୍ରୋଲ ପମ୍ପ ଆଡକୁ ଯାଉଥିବା କୁହାଯାଉଛି।

ଯେଉଁ ସିସିଟିଭି ଫୁଟେଜ ଆସିଛି ତା’ର ସମୟ ଦିନ ୧୦ଟା ୪୪ ମିନିଟ୍‌ର । ସେ କଲେଜରୁ ଚାନ୍ଦିପୁର ଆଡ଼କୁ ସାଇକେଲରେ ଯାଉଥିଲେ। ଭିଡିଓରେ ସାଇକେଲରେ ଯାଉଥିବା ରାସ୍ତାରେ ପେଟ୍ରୋଲ ପମ୍ପ ପଢୁଛି । ତେଣୁ କୁହାଯାଉଛି ଯେ ନିଜେ ପୀଡ଼ିତା ପେଟ୍ରୋଲ କିଣିବାକୁ ଯାଇଥିଲେ । ଏହା କେତେ ସତ, କେତେ ମିଛ ସ୍ପଷ୍ଟ ହୋଇନାହିଁ । କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫଦାରୀ ଆରମ୍ଭ ହୋଇଥିଲା ବେଳେ ଘଟଣାକୁ ଭିନ୍ନମୋଡ଼ ଦେବା ପାଇଁ ଏଭଳି ଭିଡିଓ ସାମ୍ନାକୁ ଅଣାଯାଇଛି କି ସେଇ ପ୍ରଶ୍ନ ସମସ୍ତଙ୍କ ମନରେ । ଯଦି ଭିଡିଓ ସତ ତେବେ ଏତେଦିନ ପର୍ଯ୍ୟନ୍ତ କାହିଁକି ଆସିନଥିଲା ସାମ୍ନାକୁ ? ଏହି ଭିଡିଓରୁ କିଛି ସୁରାକ କ୍ରାଇମବ୍ରାଞ୍ଚକୁ ମିଳିପାରେ ବୋଲି ଆଶା କରାଯାଉଛି ।

 

Leave a Reply

Your email address will not be published. Required fields are marked *