ମୋହନ ସରକାର ଆଉ କିଛିଦିନ ପରେ ବର୍ଷପୂର୍ତି ପାଳନ କରିବେ । ଦ୍ବିତୀୟ ବର୍ଷ ପାଇଁ ମୋହନ ସରକାରଙ୍କ ସକାଶେ ୩ଟି ବଡ଼ ସମସ୍ୟା ଗୁରୁତର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାକୁ ଏଡା଼ଇ ଦିଆଯାଇ ପାରୁନାହିଁ । ଏହି ୩ଟି କ୍ଷେତ୍ର ବିପର୍ଯ୍ୟସ୍ତ ଅବସ୍ଥାକୁ ଯିବାକୁ ବସିଛି । ଏହା ଉପରେ ସରକାର ତୁରନ୍ତ ଧ୍ୟାନ ନଦେଲେ ନେଣକୁ ଦେଣ ପଢ଼ିବା ଅସମ୍ଭବ ନୁହେଁ । ଏହି ସମସ୍ୟା ଦିଗଟି ହେଲା ସାସ୍ଥ୍ୟ, ଟ୍ରାଫିକ ଏବଂ ଆଇନଶୃଙ୍ଖଳା ।

ରାଜ୍ୟରେ ସାସ୍ଥ୍ୟସେବା କ୍ଷେତ୍ର ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ଯେଉଁ ଅବସ୍ଥା ନବୀନ ସରକାରଙ୍କ ଅମଳରେ ଥିଲା, ସମାନ ଅବସ୍ଥା ମୋହନ ସରକାରଙ୍କ ଅମଳରେ ଦେଖିବାକୁ ମିଳିଛି। ନିକଟରେ ସାସ୍ଥ୍ୟ ବିଭାଗ ବିଭିନ୍ନ ହସ୍ପିଟାଲରେ ଅନୁପସ୍ଥିତ ରହୁଥ‌ିବା ଡାକ୍ତରଙ୍କୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଡ୍ୟୁଟିରୁ ଗାଏବ୍ ହୋଇଯାଇଥିବା ୨୪୪ ଜଣ ଡାକ୍ତରଙ୍କ ତାଲିକା ବିଭାଗ ଜାରି କରିଛି । ଅନୁପସ୍ଥିତର କାରଣ ଦର୍ଶାଇବାକୁ ନୋଟିସ ଦିଆଯାଇଛି। କୈଫୟତ ସନ୍ତୋଷଜନକ ନହେଲେ ବରଖାସ୍ତ କରା‌ଯିବ ବୋଲି ଚେତାବନୀ ଦେଇଛନ୍ତି ସାସ୍ଥ୍ୟ ବିଭାଗ।

୨୦୧୦ରୁ ୩୩ ଜଣ ଡାକ୍ତର ଗାଏବ୍ ହୋଇଯାଇଛନ୍ତି । ପରବର୍ତ୍ତୀ ସମୟରେ ଆହୁରି ୨୧୧ ଜଣ ଡାକ୍ତର କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥ‌ିବା ଜଣାପଡ଼ିଛି । ଅତିରିକ୍ତ ସାସ୍ଥ୍ୟ ସଚିବ ଡ. ବିଜୟ ମହାପାତ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । କିନ୍ତୁ ଶୁଣିବ କିଏ ? ଏ ସମସ୍ୟା ନବୀନ ସରକାରଙ୍କ ବେଳର ।

ଯଦି ଡାକ୍ତର ନରହିବେ, ତେବେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିବ କେମିତି ? କିନ୍ତୁ ଏଥିପାଇଁ ସରକାରଙ୍କୁ ଅନେକେ ଦାୟୀ କରୁଛନ୍ତି। ଗ୍ରାମାଞ୍ଚଳରେ ନିଯୁକ୍ତି ପାଇବା ଡାକ୍ତରଙ୍କୁ ଉତ୍ତମ ପ୍ରୋତ୍ସାହନ ମିଳୁ ନାହିଁ । ଦରମା ଘରୋଇ ହସ୍ପିଟାଲର ଡାକ୍ତରଙ୍କ ତୁଳନାରେ କମ। ତେଣୁ ସରକାରୀ ନିଯୁକ୍ତିକୁ ଅବହେଳା କରି ଡାକ୍ତରମାନେ ଘରୋଇ ହସ୍ପିଟାଲରେ ଚାକିରୀ କରୁଛନ୍ତି ।

ଗତ ବର୍ଷକ ଭିତରେ ମୋହନ ସରକାର କିମ୍ବା ସାସ୍ଥ୍ୟମନ୍ତ୍ରୀ ମୂକେଶ ମହାଲିଙ୍ଗ ଏଥି ପ୍ରତି ଧ୍ୟାନ ଦେଇଛନ୍ତି କି ? ଇଭେଣ୍ଟ ଓ ସଭାସମିତିରେ ବର୍ଷେ ପାର୍ ହୋଇଗଲା । ଏହି କାରଣରୁ ରାଜ୍ୟରେ ସାସ୍ଥ୍ୟସେବା ପୂର୍ବ ଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଲା। ଆଗକୁ ଆହୁରି ଅବସ୍ଥା ଖରାପ ହେବ । ରାଜ୍ୟ ସରକାର ଆୟୁଷ୍ମାନ ଭାରତ ବୀମା ଯୋଜନା ଲାଗୁ କରିଛନ୍ତି । ଏହାର ସରଳୀକରଣ ଏବଂ ରୋଗୀଙ୍କୁ କିଭଳି ଉତ୍ତମ ଚିକିତ୍ସା ସୁବିଧା ମିଳିବ, ତାହା ଦେଖୁବା ଦାୟିତ୍ଵ ରାଜ୍ୟ ସରକାରଙ୍କର ।

ଦ୍ଵିତୀୟ ସମସ୍ୟାଟି ଟ୍ରାଫିକ । ବିଶେଷତଃ ଏହା ସହରାଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି କଲାଣି। ରାଜଧାନୀ ଅବସ୍ଥା କହିଲେ ନସରେ। ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡ଼ି ଯାଇଛି ବୋଲି କହିଲେ ଭୁଲ ହେବ ନାହିଁ। ଗତ ସରକାର ଅମଳରେ ଏହା ଉତ୍କଟ ନଥିଲା। କିନ୍ତୁ ଭାଜପା ସରକାର ଅମଳରେ ରାଜଧାନୀ ସମେତ ଟୁଇନ୍ ସିଟିରେ ଏହା ନିୟନ୍ତ୍ରଣ ବାହାରକୁ ଯାଇସାରି ଲାଣି । ଏଥିପାଇଁ ଅନେକ ସମୟରେ ସିଗ୍‌ ନାଲିଂ ବ୍ୟବସ୍ଥା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ଟ୍ରାଫିକ ପୋଲିସ। ପୁଲିସ ଉପରୁ ଭୟ ସମ୍ପୂର୍ଣ ଚାଲିଯାଇଥିବାରୁ ଏଭଳି ଭୟଙ୍କର ଅବ୍ୟବସ୍ଥା ଦେଖ‌ିବାକୁ ମିଳୁଛି । ପ୍ରଥମତଃ ସିଗ୍‌ନାଲିଂ ବ୍ୟବସ୍ଥା ଅତି ପୂରୁଣାକାଳିଆ ଓ ତ୍ରୁଟିଯୁକ୍ତ ।

ଅନ୍ୟ ସହରରେ ଯେଭଳି ଆଧୁନିକ ସିଗ୍‌ନାଲିଂ ବ୍ୟବସ୍ଥା ଲାଗୁ ହୋଇଛି, ରାଜଧାନୀରେ ଅନ୍ତତଃ ତାହା ଲାଗୁ ହେବା ଜରୁରୀ ହୋଇପଡ଼ିଲାଣି । ଭୁବନେଶ୍ଵର ବଢୁଛି । ମେଟ୍ରୋ ରେଳ ବ୍ୟବସ୍ଥା ଚିନ୍ତା କରିଛନ୍ତି ସରକାର । କିନ୍ତୁ ତା’ରି ଭିତରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଢ଼ିବା ଉଦ୍‌ବେଗ ସୃଷ୍ଟି କରିଛି।

ଆଇନ ଶୃଙ୍ଖଳା କଥା ନକହିବା ଭଲ। ପୂର୍ବରୁ ଏବାବଦରେ ଏକାଧିକ ରିପୋର୍ଟ ପ୍ରକାଶ ପାଇସାରିଛି। ଚାରିଆଡ଼େ ବିଶୃଙ୍ଖଳା ବ୍ୟାପୁଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଯାଉଛି । ଯଦି ସରକାର ଏବେଠୁ ସଜାଗ ନହେବେ, ତାହାଲେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ମୋହନ ସରକାରଙ୍କ ପାଇଁ ଗୁରୁଚର ପରିସ୍ଥିତି ସୃଷ୍ଟି କରିବ ଅସମ୍ଭବ ନୁହେଁ । ପ୍ରତିଦିନ ଖବରକାଗଜ ପୃଷ୍ଠାରେ ଏଭଳି ରିପୋର୍ଟ ପ୍ରକାଶ ପାଉଛି, ଯାହା ଲୋକଙ୍କ ମନରେ ଅସୁରକ୍ଷାର ଭାବନା ସୃଷ୍ଟି କଲାଣି । ସରକାରଙ୍କ ପାଇଁ ଏହା ସତର୍କ ଘଣ୍ଟି ।

Leave a Reply

Your email address will not be published. Required fields are marked *