ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକର ସତୀଚଉରାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୀତାଙ୍କ ମରଶରୀରକୁ ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ମୁଖାଗ୍ନି ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।

ଗତ ୧୨ ତାରିଖରେ ଭୁବନେଶ୍ବରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମସ୍ତିଷ୍କ ଘାତ (ବ୍ରେନ୍ ଷ୍ଟ୍ରୋକ୍) ହେବା ପରେ ସେ କଟକର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଗୀତା ପଟ୍ଟନାୟକ। ଗତ ଗୁରୁବାର ରାତିରେ ଭୁବନେଶ୍ୱରରେ ଏକ ସାହିତ୍ୟ ସଭାରେ ଯୋଗଦେଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ରାତି ପ୍ରାୟ ୧ଟା ସମୟରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାତି ପ୍ରାୟ ୩ଟାରେ କଟକର ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ସେ ଚିକିତ୍ସାଧୀନ ରହିଥିଲେ। ପରିବାର ଲୋକଙ୍କ ସୂଚନା ଅନୁସାରେ ରବିବାର ସକାଳେ ତାଙ୍କର ଅବସ୍ଥା ଅତ୍ୟନ୍ତ ଜଟିଳ ହୋଇ ପଡ଼ିଥିଲା ଏବଂ ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

୧୯୭୦ରୁ ଓଡ଼ିଆ ସଙ୍ଗୀତ ଜଗତରେ ଶୁଣିବାକୁ ମିଳିଥିଲା ଗୀତା ପଟ୍ଟନାୟକଙ୍କ ସୁରିଲା ସ୍ୱର। ୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ। ଅକ୍ଷୟ ମହାନ୍ତିଙ୍କ ଅନେକ ଗୀତରେ କଣ୍ଠଦାନ କରି ଶ୍ରୋତାଙ୍କ ପ୍ରିୟ ଗାୟକ ପାଲଟିଥିଲେ। ପ୍ରାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *