ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟରେ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଚଳିତ ବଜେଟର ପରିମାଣ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ହୋଇଛି, ଯାହା ୨୦୨୩-୨୪ ତୁଳନାରେ ୧୫% ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସରେ ଅନୁପ୍ରାଣିତ ହୋଇ ବିଜେପି ସରକାର ୪ବର୍ଗ ଗରିବ,ମହିଳା, କୃଷକ ଓ ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଓଡିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ଯାହା ଆଜିର ବଜେଟ୍‌ରେ ସ୍ପଷ୍ଟ ହୋଇଛି ।

ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନ କଲା। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରଥମ ବଜେଟରେ ବ୍ୟୟବରାଦ ହୋଇଛି । ଶ୍ରୀମନ୍ଦିର ବିକାଶ ପାଇଁ ୫୦୦କୋଟି ଟଙ୍କା, ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା, ବାର୍ଦ୍ଧକ୍ୟ-ବିଧବା-ଦିବ୍ୟାଙ୍ଗ ଭତାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିଭଳି ଓଡିଶା ଅସ୍ମିତାର ବିକାଶ ପାଇଁ ୨୦୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨କୋଟି ଟଙ୍କା, ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି, ମେଟ୍ରୋ ରେଳ ପାଇଁ ୧୦୦୦ କୋଟି, ବିକଶିତ ଗାଁ- ବିକଶିତ ଓଡିଶା ପାଇଁ ୧୦୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୬୦୯୦ କୋଟି, ଜଳଜୀବନ ମିଶନ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସବୁ ବର୍ଗର ଲୋକଙ୍କୁ ଚଳିତ ବଜେଟ ସନ୍ତୁଷ୍ଟି ଦେଇଛି । ଡବଲ ଇଂଜିନ ସରକାରରେ ଓଡିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *