ବିଶ୍ବରେ ପୁଣି ଏକ ଭୟଙ୍କର ରୋଗ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ଏହା ଅଧିକରୁ ଅଧିକ ବ୍ୟାପିବାରେ ଲାଗିଛି । ଚାରିଆଡ଼େ ଡରାଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ସଂକ୍ରମିତ ହେବାର ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହେଉଛି। ବର୍ତ୍ତମାନ ଜାପାନରୁ ଏହି ବିପଜ୍ଜନକ ରୋଗ ସାମ୍ନାକୁ ଆସିଛି। ଏହି ରୋଗର ନାମ ଷ୍ଟ୍ରେପ୍ଟୋକୋକଲ ଟକ୍ସିକ ସକ୍‌ ସିଣ୍ଡ୍ରୋମ (ଏସ୍‌ଟିଏସଏସ) ରହିଛି।

ଚଳିତ ବର୍ଷ ଜୁନ ୨ ତାରିଖ ସୁଦ୍ଧା ଏହି ରୋଗ ଜିନିତ ମାମଲା ୯୭୭ରେ ପହଞ୍ଚିଛି ବୋଲି ସୂଚନା ମିଳିଛି ।ଏହା ଶିଶୁ, ବୃଦ୍ଧଙ୍କ ସହିତ ସମସ୍ତଙ୍କ ପାଇଁ ବିପଜ୍ଜନକ। ଗ୍ରୁପ୍ ଏ ଷ୍ଟ୍ରେପଟୋକୋକସ୍ ଯୋଗୁ ସାଧାରଣତଃ ଶରୀର ଫୁଲିଥାଏ ଓ ଗଳାରେ ସମସ୍ୟା ହୋଇଥାଏ। ପିଲାମାନଙ୍କ ଗଳାରେ ଘା ମଧ୍ୟ ସୃଷ୍ଟି ହେବା ଦେଖାଯାଏ।

ଆଉ ମଧ୍ୟ ଶରୀରରେ ଯନ୍ତ୍ରଣା, ଫୁଲା, ଜ୍ୱର ଓ ନିମ୍ନ ରକ୍ତଚାପର ଲକ୍ଷଣ ଦେଖାଯାଏ । ଜୀବାଣୁ ଅଧିକ ସକ୍ରିୟ ହେଲେ ଶ୍ୱାସକ୍ରିୟାରେ ସମସ୍ୟା ଅଙ୍ଗପ୍ରତ୍ୟେଙ୍ଗ ଅକାମି ହୋଇଯିବା ଓ କିଛି ଘଣ୍ଟା ଭିତରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡିଛି ।

ଏହି ରୋଗ ଏବେ ୟୁରୋପର ୫ ଦେଶକୁ ବ୍ୟାପି ଗଲାଣି। ଏହି ଦେଶ ମଧ୍ୟରେ ବ୍ରିଟେନ, ଫ୍ରାନ୍ସ, ଆୟରଲାଣ୍ଡ, ନେଦରଲାଣ୍ଡ ଏବଂ ସ୍ବିଡେନ ସାମିଲ ରହିଛି। ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ସଂକ୍ରାମକ ରୋଗର ପ୍ରଫେସର କେନ୍ କିକୁଚି କହିଛନ୍ତି, ଏହି ଜୀବାଣୁ ଦ୍ୱାରା ଅଧିକାଂଶ ମୃତ୍ୟୁ ୪୮ ଘଣ୍ଟା ମଧ୍ୟରେ ଘଟୁଛି। ଯଦି ଜଣେ ରୋଗୀ ସକାଳେ ପାଦରେ ଫୁଲା ଦେଖୁଛନ୍ତି, ତା’ହେଲେ ମଧ୍ୟାହ୍ନ ସୁଦ୍ଧା ଏହା ଆଣ୍ଠୁ ଯାଏ ମାଡ଼ି ଯାଇ ପରେ। କିଛି ଘଣ୍ଟା ପରେ ଏହା ସମଗ୍ର ଶରୀରକୁ ବ୍ୟାପି ଯାଇଥାଏ। ସେ ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ଏବଂ ତୁରନ୍ତ ଘା’ର ଚିକିତ୍ସା କରାଇବାକୁ କହିଛନ୍ତି। ଏହାର ମୁକାବିଲା ପାଇଁ ବଜାରରେ ଜେ୮ ଟିକା ମଧ୍ୟ ରହିଛି।

କୋଭିଡ ପ୍ରତିବନ୍ଧକ ପ୍ରତ୍ୟାହାର ହେବା ପରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।ବର୍ତ୍ତମାନର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଲେ ଜାପାନରେ ଚଳିତ ବର୍ଷ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୫ଶହରେ ପହଞ୍ଚିପାରେ। ସେହିପରି ମୃତ୍ୟୁହାର ୩୦ ପ୍ରତିଶତ ଛୁଇଁବ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *