ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଟି-୨୦ କି୍ରକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଅଗଣିତ କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିନ୍ତୁ ଏହି ଖେଳ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜରରେ ରହିବାକୁ ଯାଉଥିବା ବେଳେ, ଏହାକୁ ତ୍ରୁଟିଶୁନ୍ୟ ଭାବେ ଆୟୋଜନ କରିବା ଓଡିଶା କ୍ରିକେଟ ଆସୋସିଏସନ ଓ ଓଡିଶା ସରକାରଙ୍କ ପାଇଁ ଆହ୍ୱାନ ହୋଇଛି ବୋଲି ବିଜୁ ଜନତା ଦଳ ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟରେ କହିଛି । ବିଜେଡି କହିଛି ବିଶେଷକରି ଗତଥର ବାରବାଟୀରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦିନିକିଆ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ, ପାସ୍ ବଣ୍ଟନରେ ହୋଇଥିବା ଅବ୍ୟବସ୍ଥା ଗୁଡିକର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ସମ୍ପ୍ରତି ଦେଶର ରାଜଧାନୀ ଦିଲ୍ଲୀ ଠାରେ ଘଟିଥିବା ଆତଙ୍କୀ ବିସ୍ଫୋରଣ ଯୋଗୁଁ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ଓ ସାଉଥ ଆଫ୍ରିକା ମ୍ୟାଚ ବେଳେ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ । କିନ୍ତୁ ଏହା ସହିତ ଏହି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ମଧ୍ୟ ଏକ ଗୁରୁ ଦାୟିତ୍ୱ । ବିଶେଷକରି ଗତବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ କଟକରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏକଦିବସୀୟ ମ୍ୟାଚ ବେଳେ ଷ୍ଟାଡିୟମର ଫ୍ଲଡ଼ ଲାଇଟରେ ବିଭ୍ରାଟ ଦେଖା ଦେଇଥିଲା ଓ ଏହା ଓଡିଶା ପାଇଁ ନିନ୍ଦା ଓ ଲଜ୍ଜ୍ୟା ଆଣିଥିଲା । ତାର ପୁନରାବୃତ୍ତି ହେବା ଅନୁଚିତ । ତେଣୁ ତ୍ରୁଟିଶୂନ୍ୟ ଭାବେ କିଭଳି ମ୍ୟାଚଟି ଆୟୋଜନ କରାଯାଇ ପାରିବ, ଓସିଏ ଓ ରାଜ୍ୟ ସରକାର ସେଥିପ୍ରତି ଯତ୍ନବାନ ହେବା ଦରକାର । ସଦଳର ମୁଖପାତ୍ର ମିହିର ରାୟ କହିଛନ୍ତି, ଗତଥର କ୍ରିକେଟ ମ୍ୟାଚ୍ ପୂର୍ବରୁ ଏଭଳି ଅନେକ ପ୍ରସ୍ତୁତି ବୈଠକ ଓ ଅନେକ ରିଭୁ୍ୟ ମିଟିଂ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ରିଭୁ୍ୟୁ ନେଉଥିବା ଖବର ପ୍ରକାଶ ପାଇଥିଲା । କିନ୍ତୁ ମ୍ୟାଚ ସମୟରେ ଫ୍ଲଡ଼ ଲାଇଟ ବିଭ୍ରାଟ ଦେଖା ଦେବା ପରେ କିଏ ପ୍ରକୃତ ଦୋଷୀ ଓ ଏତେ ପ୍ରସ୍ତୁତି ଓ ରିଭୁ୍ୟ ବୈଠକ ସତ୍ତ୍ୱେ କିପରି ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା, ତାକୁ ନେଇ କୌଣସି ସ୍ପଷ୍ଟତା ଆସି ନଥିଲା । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ସରକାରଙ୍କ ତରଫରୁ ଓସିଏକୁ ଗୋଟିଏ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାଛଡା ଏହି କ୍ରିକେଟ ମ୍ୟାଚ୍କୁ ଦେଖିବା ପାଇଁ ଓସିଏ ତରଫରୁ ବଣ୍ଟନ କରାଯାଇଥିବା ପାସ୍ରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । କ୍ରିକେଟ ମ୍ୟାଚ୍କୁ ଉପଭୋଗ କରିବା ପାଇଁ ଉତ୍ସୁକ କ୍ରିକେଟପ୍ରେମୀ ମାନେ ମ୍ୟାଚ ଦେଖିବା ପାଇଁ ଇଚ୍ଛା କରିଥିଲେ ମଧ୍ୟ ଟିକେଟ କିଣିପାରି ନଥିଲେ । ଅପରପକ୍ଷରେ, ବିଜେପି ଦଳର ଅଧିକାଂଶ କୁଜି ନେତାମାନେ କ୍ରିକେଟ ମ୍ୟାଚ୍ର ପାସ୍ ହାତେଇବାରେ ସକ୍ଷମ ହୋଇଥିଲେ । ତେଣୁ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଟି-୨୦ କ୍ରିକେଟ ମ୍ୟାଚ୍ଟି ତ୍ରୁଟିଶୂନ୍ୟ ଭାବେ ଆୟୋଜିତ ହେବା ସହିତ ଏହାର ଟିକେଟ ଓ ପାସ୍ ବ୍ୟବସ୍ଥା ମଧ୍ୟ ତ୍ରୁଟିଶୂନ୍ୟ ହେବା ନିହାତି ଆବଶ୍ୟକ । ଚଳିତ ଥର ଟିକେଟ ସଂଖ୍ୟା ଆହୁରି କମିଯାଇଛି ବୋଲି ସୂଚନା ଦିଆଯାଇଛି । ଓସିଏ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଓ ଶ୍ରୀଜଗନ୍ନାଥ ମନ୍ଦିରରେ ଟିକେଟ ପ୍ରଦାନ କରିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଏସବୁ ବ୍ୟତୀତ ତ୍ରୁଟିଶୂନ୍ୟ ମ୍ୟାଚ ଆୟୋଜନ ଅଧିକ ଗୁରୁତ୍ୱପୂର୍ଣ୍ଣ । ପୂର୍ବବର୍ଷ ପରି କ୍ରିକେଟ ମ୍ୟାଚ୍ର ପ୍ରସ୍ତୁତି ଓ ରିଭୁ୍ୟ ମିଟିଂ ଯେପରି ଏକ ପ୍ରହସନରେ ପରିଣତ ନହେଉ, ସେଥିପାଇଁ ଓସିଏ ଓ ରାଜ୍ୟ ସରକାର ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଡ଼ ମହାନ୍ତି କହିଛନ୍ତି । Post navigation Odisha Assembly: ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ