୮୦୦ ଟଙ୍କାର ଇନ୍‌ପୁଟ ସବ୍‌ ସିଡି ଭୁଲି ଯାଆନ୍ତୁ ଓଡ଼ିଶାର ଚାଷୀ । କେନ୍ଦ୍ର ସରକାର କେରଳର ମୁଖ୍ୟ ସଚିବଙ୍କ ପାଖକୁ ଯେଉଁ ଚିଠି ଲେଖିଛନ୍ତି ତାହା ଏହା ହିଁ ସଂକେତ ଦେଉଛି। ବର୍ଷେ ପାଇଲେ। ଦ୍ବିତୀୟ ବର୍ଷରେ ଭାଗ୍ୟଶାଳୀ ଚାଷୀମାନଙ୍କୁ ମିଳିଲା । ଆସନ୍ତା ବର୍ଷକୁ ଆଉ କେହି ପାଇବେ ନାହିଁ । ରବି ଚାଷ ବେଳେ ୮୦୦ଟଙ୍କା କଥା ଭୁଲି ଯାଆନ୍ତୁ ଚାଷୀ।

କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ବିଭାଗ ସଚିବ ଭି ଭୁଆଲ୍‌ନମ୍ ଗତ ମାସ ଏକ ପତ୍ର ଲେଖିଛନ୍ତି କେରଳର ମୁଖ୍ୟ ସଚିବ ଡ. ଏ ଜୟତିଲକଙ୍କୁ। ଏଥିରେ ୫ଟି ବିନ୍ଦୁ ଅଛି। ଚିଠିର ସାରକଥାଟି ହେଲା ଯେ, କେନ୍ଦ୍ର ସରକାର ଚାଷୀଙ୍କ ଅଭାବୀ ବିକ୍ରି ରୋକିବା ନିମନ୍ତେ ପ୍ରତ୍ୟେକ ବର୍ଷ ବିଭିନ୍ନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଆସୁଛନ୍ତି । ଏବେ ଦେଖାଯାଉଛି ଯେ, ଗହମ ଓ ଧାନଚାଷ ଉତ୍ପାଦନ ଯଥେଷ୍ଟ ବଢ଼ିଛି। ସାଧାରଣ ବଂଟନ ବ୍ୟବସ୍ଥା ଲାଗି ଆବଶ୍ୟକ ଖାଦ୍ୟ ଶସ୍ୟଠାରୁ ଅଧିକ ଉତ୍ପାଦିତ ହେଉଛି। ବଳକା ଧାନ ଓ ଗହମ ରଖିବା ଏକ ବଡ଼ ସମସ୍ୟା ହେଲାଣି।

ଏହା ମଧ୍ଯ ଖର୍ଚ୍ଚ ବହୁଳ । ତେଣୁ ଯେଉଁ ଅତିରିକ୍ତ ବୋନସ୍ ବିଭିନ୍ନ ସରକାର ଦେଉଛନ୍ତି ଏହାଦ୍ଵାରା ଅଧିକ ଜମିରେ ଧାନ ଓ ଗହମ ଚାଷ କରାଯାଉଛି ଏବଂ ଉତ୍ପାଦନ ମଧ୍ଯ ଅଧିକ ହୋଇଛି। ଏଥିପାଇଁ ପାଣି, ସାର ସହ ଇନ୍‌ପୁଟ୍ ସବ୍‌ସିଡି ବଢୁଛି। ଅନ୍ୟ ଆନୁସଙ୍ଗିକ ସମସ୍ୟା ଉପୁଜିଲାଣି। ଏଣୁ ରାଜ୍ୟ ସରକାର ବୋନସ୍ ନୀତି ବନ୍ଦ କରନ୍ତୁ । ଏହା ପରିବର୍ତ୍ତେ ଡାଲି ଓ ତୈଳ ବୀଜ ଉତ୍ପାଦନକୁ ପ୍ରୋତ୍ସାହନ ଦିଅନ୍ତୁ।

ଏହି ଚିଠି ହିଁ ଓଡ଼ିଶା ଚାଷୀଙ୍କୁ ଭଲ ସଂକେତ ଦେବ। ଏଥର ଯୋଗାଣମନ୍ତ୍ରୀ ଖରିଫ୍ ସଂଗ୍ରହ ଋତୁ ମଝିରେ ଘୋଷଣା କଲେ ଯେ, ସମସ୍ତଙ୍କୁ ଇନ୍‌ପୁଟ୍ ସବ୍‌ସିଡି ମିଳିବ ନାହିଁ । ଲୋକେ ଅଧିକ ଧାନଚାଷ କରି ପସ୍ତେଇ ହେଉଛନ୍ତି । ବୋଧହୁଏ ସେଥିପାଇଁ ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା ଏକ ସୁନିୟୋଜିତ ଯୋଜନା ଥିଲା । ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ୩୧୦୦ଟଙ୍କାରେ ଧାନ କିଣାଯିବ ବୋଲି କହିଥିଲେ। ସଂକଳ୍ପ ପତ୍ରରେ ମଧ୍ୟ ଭାଜପା ତାହା ହିଁ ଉଲ୍ଲେଖ କରିଥିଲା । ଏଥିପାଇଁ ଡବଲ ଇଞ୍ଜିନ ସରକାର ସପକ୍ଷରେ ଚାଷୀମାନେ ଭୋଟ ଦେଇଥିଲେ। ଏବର୍ଷ ଅଧା ସ୍ଵପ୍ନ ତ୍ରୁଟିଛି । ଆସନ୍ତା ବର୍ଷକୁ ଆଉ ସ୍ଵପ୍ନ ଦେଖିବେ ନାହିଁ ଚାଷୀ।

ବୋଧହୁଏ ଇନ୍‌ପୁଟ୍ ସବ୍‌ସିଡି ସରକାର ଏବଂ ଶାସକ ଦଳ ପାଇଁ ନେଣକୁ ଦେଣ ପଡ଼ିବାକୁ ଯାଉଛି।

Leave a Reply

Your email address will not be published. Required fields are marked *