ଏବର୍ଷର ବାଲିଯାତ୍ରା କାର୍ଯ୍ୟକ୍ରମର ପରିଚାଳନାରେ ହୋଇଥିବା ଅନେକ ବିଭ୍ରାଟକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ କହିଥିଲେ, ଐତିହ୍ୟ ସହର କଟକରେ ପ୍ରତିବର୍ଷ ହେଉଥିବା ଐତିହାସିକ ବାଲିଯାତ୍ରାରେ ପରିଚାଳନାରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି, ଯାହା ବାଲିଯାତ୍ରାର ଗୌରବକୁ କ୍ଷୁଣ୍ଣ କରୁଛି। ବାଲିଯାତ୍ରା ଆୟୋଜନରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ତତ୍ତ୍ଵାବଧାନରେ ହୋଇଥାଏ। ତେଣୁ ଖାମଖିଆଲି ଭାବେ ଏହାକୁ ଆୟୋଜନ କରି ଏହି ପ୍ରକାରର ତ୍ରୁଟି ହେବା ନିଶ୍ଚିତ ଭାବେ ଅକ୍ଷମଣୀୟ ବାଲିଯାତ୍ରା ଆୟୋଜନରେ ହୋଇଥିବା ତ୍ରୁଟି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି ଡଃ ମହାନ୍ତି କହିଥିଲେ । ସେ କହିଥିଲେ, ଚଳିତ ବର୍ଷ ବାଲିଯାତ୍ରାରେ ୧୪ଟି ଦେଶର ପ୍ରତିନିଧ୍ ଯୋଗ ଦେବେ ଓ ଏହା ଦ୍ବାରା ଆନ୍ତର୍ଜାତୀୟ ସ୍ତରରେ ଏକ ପରିଚୟ ମିଳିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା । କିନ୍ତୁ ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଆସିଥିବା ବିଜେପି ସରକାର ବାଲିଯାତ୍ରାକୁ ଏକ ଜାତୀୟ ଉତ୍ସବର ମାନ୍ୟତା ଦେଇଥିଲେ ତାହା ଏକ ଉଚିତ ପଦକ୍ଷେପ ହୋଇଥାନ୍ତା । କୁମ୍ଭମେଳାକୁ ଜାତୀୟ ଉତ୍ସବର ମାନ୍ୟତା ମିଳିଛି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥାଏ। ବାଲିଯାତ୍ରାକୁ ଜାତୀୟ ଉତ୍ସବ ଘୋଷଣା ହେଲେ, ଏହାର ଆୟୋଜନ ପାଇଁ କେନ୍ଦ୍ରରୁ ଆର୍ଥିକ ଅନୁଦାନ ମିଳିପାରିବ ତେଣୁ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପାଇଁ ଆମେ ଦାବି କରୁଛୁ ବୋଲି ଡଃ ମହାନ୍ତି କରିଥିଲେ । ସେ କହିଥିଲେ, ଗୋଟିଏ ପଟେ ବାଲିଯାତ୍ରାକୁ ଆନ୍ତର୍ଜାତୀୟ ପ୍ରତିଷ୍ଠା ହାସଲ କଥା ଆମେ କହୁଛେ କିନ୍ତୁ ଆମେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ପାଇଁ ବ୍ୟାଟେରୀ ଗାଡି ଯୋଗାଡ଼ କରିବାରେ ସକ୍ଷମ ହୋଇ ପାରୁନାହେଁ । ରାଜ୍ୟର ଏକ ମର୍ଯ୍ୟାଦାସମ୍ପର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆନଯାଇ ପାରିବା ଏକ ଲଜ୍ୟାଜନକ ବିଷୟା ଆମେ ଜାଣିବାକୁ ପାଇଛୁ ଯେ ବାଲିଯାତ୍ରାର ଉଦଘାଟନ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନଥିଲା, ଯାହା ଏକ ବିଡ଼ମ୍ୱନା । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଦିନ ରାତି ବାରଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତା ପରଦିନ ଓଡ଼ିଶାର ପ୍ରତିଷ୍ଠିତ କଳାକାର ଅସୀମା ପଣ୍ଡାଙ୍କୁ ରାତି ଦଶ ବାଜିଗଲା ବୋଲି ତାଙ୍କୁ ମଞ୍ଚ ଉପରୁ ପୁଲିସ ଦ୍ବାରା ତାଗିଦ କରି ଓହ୍ଲାଇ ଦିଆ ଯାଇଥିଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତେଣୁ ଆମେ ବାଲିଯାତ୍ରା କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ହେବାକୁ ସରକାର ଅନୁମତି ଦିଆଯାଉ ବୋଲି ଆମେ ଦାବି କରୁଛୁ। ବାଲିଯାତ୍ରରେ ଐତିହାସିକ କଟକ ସହରରେ ଅନୁଷ୍ଠିତ ହେଉଥିବାରୁ, ପ୍ରତିବର୍ଷ କଟକର ମେୟର ଉଦଘାଟନ ଉତ୍ସବରେ ସ୍ବାଗତ ଭାଷଣ ଦେଇଥାନ୍ତି କିନ୍ତୁ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମେୟରଙ୍କ ସ୍ଥାନରେ କେଉଁ ପରିପ୍ରେକ୍ଷୀରେ, କଟକ ସଦର ବିଧାୟକ ସ୍ବାଗତ ଭାଷଣ ଦେବାକୁ ଦିଆଗଲା, ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ତାଛଡ଼ା କଟକ ସଦର ବିଧାୟକଙ୍କ ଦ୍ବାରା ଇଂରାଜୀରେ ଦିଆଯାଇଥିବା ସ୍ବାଗତ ଭାଷଣ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଓଡ଼ିଆ ଅସ୍ମିତାର ନାରା ଦେଇ ଆସିଥିବା ସରକାର କେଉଁ ପ୍ରକାରର ଓଡ଼ିଆ ଅସ୍ମିତାର ରକ୍ଷାକର୍ତ୍ତା ସାଜିଛି, ତାହା ଓଡିଶାବାସୀ ଭଲ ଭାବେ ବୁଝିଲେଣି ଇପ୍ସିତା ସାହୁ କହିଥିଲେ, ବାଲିଯାତ୍ରାରେ ଜଣେ ଯୁବକଙ୍କ ବିଦ୍ୟୁତ ଆଘାତ ପାଇ ମୃତ୍ୟୁ ହେବା, ବାଲିଯାତ୍ରାକୁ ଆସୁଥିବା ଲୋକ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ସରକାର ସମସ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ସହିତ ମୃତ ଯୁବକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆମେ ଦାବି କରୁଛୁ । Post navigation ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଧାନ ମଣ୍ଡିକୁ ଦଲାଲ ନଆସିବା ପାଇଁ ହେବ ପାଟ୍ରୋଲିଂ: ସୁରେଶ ପୂଜାରୀ