ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର । ସୋମବାର ଜମ୍ମୁ- କଶ୍ମୀରର ଡୋଡାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୩ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଆଉ ଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଏଏନଆଇର ରିପୋର୍ଟ ଅନୁସାରେ ଡୋଡା ଜିଲ୍ଲା ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ଏହାପରେ ଜମ୍ମୁ କଶ୍ମୀର ପୋଲିସର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେଶନ ଗ୍ରୁପ କର୍ମଚାରୀମାନେ ସୋମବାର ସନ୍ଧ୍ୟା ୭.୪୫ ସମୟରେ ଡୋସା ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଆତଙ୍କବାଦୀ ସେନା ମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା।

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଭୋରୁ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଆଖି ବୁଜି ଦେଇଛନ୍ତି। ଆଉ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପଟେ ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ- ଇ- ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାଯାଇଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି।

Leave a Reply

Your email address will not be published. Required fields are marked *