ଆରଆଇ ଏବଂ ଅମୀନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ସମ୍ମୁଖରେ ପହଞ୍ଚିଛନ୍ତି ଶହ ଶହ ଆଶାୟୀ ପରୀକ୍ଷାର୍ଥୀ । ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଆଶାୟୀ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଶହ ଶହ ସଂଖ୍ୟାରେ ଆରଆଇ ଏବଂ ଅମୀନ ଆଶାୟୀମାନେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାକୁ ଶୋଭାଯାତ୍ରା ମଧ୍ୟ କରିଛନ୍ତି ।

ସୂଚନା ମୁତାବକ; ଚଳିତ ବର୍ଷ ହେଉଥିବା ଆରଆଇ ଏବଂ ଅମୀନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆସିଥିଲା । ଭୁବନେଶ୍ୱରରେ ସାଇବର କାଫେରେ ପରୀକ୍ଷା ନେଇ ନିକଟରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟର ଅନେକ ସ୍ଥାନରୁ ଏପରି ବିଭ୍ରାଟ ନେଇ ଖବର ଆସିଛି। ଏହାକୁ ନେଇ ତାତିଛନ୍ତି ଚାକିରି ଆଶାୟୀ। ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଓଏସଏସସି ଖେଳ ଖେଳୁଥିବା ଆଶାୟୀ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ନେଇ ପରୀକ୍ଷାର୍ଥୀମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏହା ସହିତ ଅନଲାଇନ ପରୀକ୍ଷାରେ ଅନିୟମିତତା ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଅଫଲାଇନରେ ପରୀକ୍ଷା କରିବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଭିଡ଼ ଜମାଇଛନ୍ତି ଆଶାୟୀ ।

ଅନ୍ୟପକ୍ଷରେ କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ। ନେତାଜୀ ବସ୍ ଟର୍ମିନାଲରୁ ଜିଲ୍ଲାପାଳଙ୍କ ଅଫିସ ଯାଏ ରାଲି କରି ଗର୍ଜନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *