ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାକୁ ଭୁଟାନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ହେଉଛି । ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତକୁ ପ୍ରତିନିଧିତ୍ୱ କରିବେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ସିଂହଦେଓ ବର୍ତ୍ତମାନ ଓଡ଼ିଶାର ଦାଦନ ଶ୍ରମିକ ବିସ୍ଥାପନ ଟାସ୍କଫୋର୍ସର ଚେୟାରମ୍ୟାନ ଅଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ସିଂହଦେଓ ଭାରତର ପ୍ରତିନିଧିତ୍ୱ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିରେ ଯୋଗଦାନ ଦାଦନ ଶ୍ରମିକ ଭଳି ସମସ୍ୟାର ସ୍ଥାୟୀ ସମାଧାନ ପନ୍ଥା, ନୀତି ନିରୂପଣ କରିବାରେ ବିଶେଷ ସହାୟକ ହେବ । ପ୍ରମୁଖ ଶାସନ ସଚିବ, ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ଶ୍ରୀମତୀ ଚିତ୍ରା ଅରୁମୁଗମ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଉପସ୍ଥିତ ଅଛନ୍ତି । ଭୁଟାନ, ମଧ୍ୟପ୍ରାଚ୍ୟ ରାଷ୍ଟ୍ର, ଉତ୍ତର ଆଫ୍ରିକା, ଇଟାଲୀ, ଅଷ୍ଟ୍ରେଲିଆ, ଆରବ ଦେଶ, ଫିଲିପାଇନ୍ସ, ପପୁଆ ନିଉ ଗିନିଆ, ମାଳଦ୍ବୀପ, ଶ୍ରୀଲଙ୍କା, ନେପାଳ, ଜାମାଇକା, ବାଂଲାଦେଶରୁ ପ୍ରତିନିଧି, ବିଶ୍ଵବ୍ୟାଙ୍କର ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସମେତ ପ୍ରାୟ ୧୦୦ ଜଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । Post navigation ଦ୍ବିତୀୟ ବର୍ଷ ପାଇଁ ସଂକଟରେ ସାସ୍ଥ୍ୟ, ଟ୍ରାଫିକ, ଆଇନଶୃଙ୍ଖଳା ଓଡ଼ିଶାରେ ରହିବେ ନାହିଁ ଅଣ ନାଗରିକ: ପୃଥ୍ୱୀରାଜ ହରିଚନ୍ଦନ