ସ୍ଥଳଭାଗରେ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବାତ୍ୟା ଦାନା । ଗତ ୬ ଘଣ୍ଟା ହେବ ଏହା ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇଛି । ଦୁର୍ବଳ ହୋଇ ସମାନ ଅଞ୍ଚଳରେ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ କିଛି ଅଂଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି । ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଏହା ସହ ରାଜ୍ୟର କେତେକ ସ୍ଥାନରେ ଆଜି ବି ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲାମାନଙ୍କରେ ଆଜି ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଉପକୂଳ ଓଡ଼ିଶାର ୩ଟି ଜିଲା ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଝଡ଼ ଯୋଗୁଁ ଗଛ ଓ ବିଜୁଳି ଭିତ୍ତିଭୂମି ବ୍ୟାପକ ନଷ୍ଟ ହୋଇଛି।  ତିନିଟି ଜିଲାରେ ଶହ ଶହ କଚ୍ଚାଘର ଭାଙ୍ଗିଛି। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କୃଷିକ୍ଷେତ୍ର। ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଏହାବ୍ୟତୀତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave a Reply

Your email address will not be published. Required fields are marked *