କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ମାମଲାରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଏହି ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର । ମହିଳା ବିରୋଧୀ ଅପରାଧରେ ସରକାରଙ୍କ ମାନସିକତା ଶୂନ୍ୟ ସହନଶୀଳତା  । ମହିଳା ବିରୋଧୀ ଅପରାଧୀଙ୍କୁ ଛଡ଼ା ଯିବ ନାହିଁ । ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହା ସହ ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ ।

ଅନ୍ୟପକ୍ଷରେ କଟକ ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ଘଟଣା ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ରଖି ତାଙ୍କୁ ବ୍ଲାକମେଲ କରାଯାଇଥିଲା । ଗତ ୪ ତାରିଖରେ ମାମଲା ରୁଜୁ ହୋଇଥିଲା । ଏହାର ତ୍ୱରିତ ତଦନ୍ତ କରାଯାଇ ଦୁଇ ଦଫାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ କାଫେର ଜଣେ ବ୍ୟକ୍ତି ଏବଂ ଜଣେ ନାବାଳକ ରହିଛନ୍ତି ।

ଡିସିପି ଆଉ ମଧ୍ୟ କହିଛନ୍ତି ଦୁର୍ଗା ପୂଜାରୁ ନେଇ ମାସେ ଯାଏ ଏହି ଘଟଣା ଘଟିଛି । ବାରଙ୍ଗ ତ୍ରୀଶୂଳିଆ ଏବଂ ପୁରୀ ଘାଟ ଅଞ୍ଚଳରେ ଏହି ଘଟଣା ଘଟିଛି । ସମ୍ପୃକ୍ତ କାଫେକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ସେହିପରି ସମସ୍ତ ଅଭିଯୁକ୍ତମାନଙ୍କର ମୋବାଇଲ ମଧ୍ୟ ଜବତ କରାଯାଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି । ଏଭଳି କିଛି ଘଟଣା ଘଟିଲେ ମହିଳା କିମ୍ବା ଯୁବତୀମାନେ ନ ଡରି ତୁରନ୍ତ ମହିଳା ଥାନାରେ ରିପୋର୍ଟ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟ; ଦୁର୍ଗା ପୂଜା ସମୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁ ଆଶୁତୋଷଙ୍କ ସହିତ କଟକର ପୁରୀ ଘାଟ ଥାନା ଅଞ୍ଚଳରେ ଥିବା ଏକ କାଫେରେ ନିଜ ଜନ୍ମ ଦିନ ପାଳନ କରିବାକୁ ଯାଇଥିଲେ । ଏହି ସମୟରେ ପୁରୁଷ ବନ୍ଧୁ କାଫେ ମାଲିକଙ୍କ ସହିତ ମିଶି ଛାତ୍ରୀଙ୍କ ଅଜଣାତରେ କିଛି ଆପତ୍ତି ଜନକ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହା ପରେ ସେହି ଭିଡ଼ିଓକୁ ନେଇ ତାଙ୍କୁ ବାରମ୍ବାର ବ୍ଲାକମେଲ୍ କଲେ । ଏହାପରେ ସପ୍ତାହେ ପରେ ମାଲିକ ସେହି ଭିଡ଼ିଓକୁ ଭାଇରାଲ କରିଦେବା ଡର ଦେଖାଇ ତାଙ୍କୁ ବାରଙ୍ଗ ଅଞ୍ଚଳକୁ ଡାକିଥିଲେ ।

ପ୍ରଥମେ ବାରଙ୍ଗ ଆସିବାକୁ ରାଜି ହୋଇନଥିଲେ ଛାତ୍ରୀ ।କିନ୍ତୁ ଭିଡିଓ ଭାଇରାଲର ଧମକ ଦିଆଯାଇଥିବା ବେଳେ ବାଧ୍ୟ ହୋଇ ବାରଙ୍ଗ ଯାଇଥିଲେ ଛାତ୍ରୀ ଜଣକ । ଏହା ପରେ ପୁରୁଷ ବନ୍ଧୁ ଜଣକ ଅନ୍ୟ କିଛି ସାଙ୍ଗଙ୍କ ସହିତ ମିଶି ତାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ବିଭିନ୍ନ ସ୍ଥାନକୁ ଡାକି ଭିଡ଼ିଓ ଭାଇରାଲ କରିଦେବା ଧମକ ଦେଇ ଦୁଷ୍କର୍ମ କରୁଥିଲେ ।

ଏହାପରେ କୌଣସି ମାଧ୍ୟମରେ ଏହି ଘଟଣା ପରିବାର ଲୋକଙ୍କ ସାମ୍ନାକୁ ଆସିଥିଲା ।  ଏହା ପରେ ସେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତ ଓ ତାଙ୍କ ପରିବାର । ଅଭିଯୋଗ ପରେ ପୁଲିସ ପୁରୁଷ ବନ୍ଧୁଙ୍କ ସହିତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ଆଶୁତୋଷ, ଲକି, ଚନ୍ଦନ, ବାରଙ୍କର ସୌମ୍ୟ ଏବଂ ନୟାଗଡ଼ର ପୀତବାସ ଓ ସୁଶୀଲ ।

 

Leave a Reply

Your email address will not be published. Required fields are marked *