ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ଵେଚ୍ଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ହ୍ୟୁମାନ ରାଇଟ୍ସ ଓଡିଶା ସଭାପତିଙ୍କ ଉପସ୍ଥିତିରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ସଭା ଆରମ୍ଭରେ ହ୍ୟୁମାନ ରାଇଟ ସଙ୍ଘ ସଭାପତି ଶ୍ରୀ ଶତପଥୀ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରି ଆମ ସଙ୍ଘ, କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ନେଇ ଆସିଛି । କଂଗ୍ରେସ ବିଚାରଧାରା ସହିତ ଆମେ ଲୋକଙ୍କ ଅଧିକାର ଏବଂ ସମସ୍ୟାର ସମାଧାନ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟକରିବୁ ବୋଲି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପିସିସି ସଭାପତି ଭକ୍ତ ଦାସ ହ୍ୟୁମାନ ରାଇଟ୍ସର ସଭାକୁ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ପଟ୍ଟା ପାଇବା ପାଇଁ ହକଦାର ଅଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ଅଧିକାର ସେମାନେ ପାଇ ନାହାନ୍ତି । ସରକାର ଲକ୍ଷ ଲକ୍ଷ ଏକର ଜମି କମ୍ପାନୀ ମାନଙ୍କୁ ଦେଉଥିବା ବେଳେ ଆଦିବାସୀ, ଅଣ ଆଦିବାସୀଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାର ଦେଉନାହିଁ । ଖଣି ଖାଦାନ ପାଇଁ ହଜାର ହଜାର ଲୋକଙ୍କୁ ବିନା ସରକାରୀ ଭରଣାରେ ନିଜ ଜଙ୍ଗଲ ଜମିରୁ ବିସ୍ଥାପିତ କରାଯାଉଛି ଏବଂ ଏଥିପାଇଁ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ବେଆଇନ ବିସ୍ଥାପନ, ଉତ୍କଟ ବେକାରୀ ସମସ୍ୟା ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଘୋର ସଂଗ୍ରାମରେ ଅବତୀର୍ଣ ହେବାକୁ ପଡ଼ିବ ବୋଲି ହ୍ୟୁମାନ ରାଇଟ୍ସ ସ୍ବେଛାସେବୀ ମାନଙ୍କୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଉପକୂଳରେ ବର୍ତ୍ତମାନ କଂଗ୍ରେସ ଖୁବ ସକ୍ରିୟ ହେଲାଣି, ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏବେ ଉତ୍ସାହ ଜାଗ୍ରତ ହୋଇଛି, ମିଶ୍ରଣ ପର୍ବ ଚାଲିଛି । ସମସ୍ତଙ୍କ ସହଯୋଗରେ କଂଗ୍ରେସ ଶକ୍ତିଶାଳୀ ହୋଇ ପାରିବ । ସବଳ ହେଲେ ଆମେ ବିସ୍ଥାପିତ ଏବଂ ନାରୀଙ୍କ ପାଇଁ ଲଢେଇ କରି ତାଙ୍କୁ ନ୍ୟାୟ ପ୍ରଦାନ କରିପାରିବା । ଏଆଇସିସି ହ୍ୟୁମାନ ରାଇଟ୍ସର ସୁଖ ଦୁଃଖରେ କଂଗ୍ରେସ ସର୍ବଦା ଅଛି ତେଣୁ ଭବିଷ୍ୟତ କାର୍ଯ୍ୟପନ୍ଥା ସଠିକ ନିର୍ଣ୍ଣୟ କରି ଆଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଅନେକ ଦୂରରୁ ସମସ୍ତେ ଉତ୍ସାହ ସହ ଆସିଥିବାରୁ ପିସିସି ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସଭା ମଞ୍ଚରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ହ୍ୟୁମାନ ରାଇଟ ଓଡିଶା ସଭାପତି ସୁରେନ ଶତପଥୀ, ଉପସଭାପତି ଡକ୍ଟର ଯତୀନ ଦିଗାଳ ଓ ଦେବୀ ପ୍ରସାଦ ମିଶ୍ର, ସଂଯୋଜକ ରାଜକିଶୋର ସାହୁ, ଅମିତ ମହନ୍ତ, ବାବୁ ଦଳବେହେରା ମଞ୍ଚାସୀନ ଥିଲେ । Post navigation ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ ବିସ୍ଥାପିତଙ୍କ ପାଇଁ ଲଢ଼ିବ କଂଗ୍ରେସ: ଭକ୍ତ ଦାସ