କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ବିପଦ ଦେଖାଦେଇଛି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦଳିମକଚି ନଷ୍ଟ କରିବାକୁ ଉଦ୍ୟମ କରାଯିବା ଦ୍ବାରା ସ୍ବାଧୀନତା ସଂଗ୍ରାମୀମାନଙ୍କ କଷ୍ଟଲବ୍‌ଧ ସ୍ବାଧୀନତା ମଧ୍ୟ ବିପଦାପନ୍ନ ହୋଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି।

ରବିବାର ଅପରାହ୍ଣରେ ଦିଲ୍ଲୀର ରାମଲୀଳା ମଇଦାନରେ ‘ଭୋଟ୍ ଚୋର ଗାଦି ଛାଡ଼’ ସମାବେଶରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଲକ୍ଷଲକ୍ଷ କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ନିର୍ବାଚନ ଆୟୋଗ ପରି ଏକ ପ୍ରମୁଖ ତଥା ପବିତ୍ର ସାମ୍ବିଧାନିକ ଅନୁଷ୍ଠାନ ମଧ୍ୟ ଆଜି ଶାସକ ଦଳ ବିଜେପିର ବଚସ୍କର ସାଜିଛି। ମୁଖ୍ୟ ନିର୍ବାଚନ କମିସନର ଓ ଏହି ଆୟୋଗର ଅନ୍ୟ କମିସନର ପଦବିରେ ଯେପରି ନିଜ ବୋଲ ମାନୁଥିବା ଲୋକଙ୍କୁ ରଖାଯାଇପାରିବ, ସେ ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାର କରିଦେଇଛନ୍ତି। ପୂର୍ବରୁ ଏହି ଆୟୋଗ ଗଠନ କରିବାକୁ ଦେଶର ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ତିନିଜଣିଆ କମିଟି ରହିଥିଲା। ନୂଆ ବ୍ୟବସ୍ଥାରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରଖାଯିବା ଦ୍ବାରା ମୋଦୀଙ୍କ ଅଭିପ୍ରାୟ ସ୍ପଷ୍ଟ ହୋଇଛି। ଏହାର ଅର୍ଥ ହେଲା, ଏଣୁଏଣିକି ଦେଶର ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ଦୁଇଜଣ କମିସନର ପଦବିରେ କିଏକିଏ ବସୁଛନ୍ତି, ତାହା ମୋଦୀ-ଶାହା ନିଷ୍ପତ୍ତି ନେଉଛନ୍ତି।

ସେ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ଅସହମତିର କୌଣସି ଅର୍ଥ ରହୁନାହିଁ। ବିଜେପି-ସିଇସି ମଧୁଚନ୍ଦ୍ରିକା ଜରିଆରେ ଦେଶରେ ହେଉଥିବା ଭୋଟ ଚୋରି ରୋକା ନ ଗଲେ ଦେଶରେ ଗଣତନ୍ତ୍ର ବିପଦାପନ୍ନ ହୋଇପଡ଼ିବ ବୋଲି ସେ କହିଥିଲେ। ଦେଶବ୍ୟାପୀ ଏଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକୁ ଆଗେଇନେଇଯିବାକୁ ସେ ସମବେତ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ସେ ଆହୁରି କହିଥିଲେ, ସତ୍ୟ ଓ ଅସତ୍ୟର ଲଢ଼େଇରେ ସତ୍ୟ ହିଁ ଜିତିବ। ସେ ପ୍ରଶ୍ନ କରିଥିଲେ, ସିଇସି ଜ୍ଞାନେଶଙ୍କୁ ଗୃହରେ ସୁରକ୍ଷା ଦେଲାବେଳେ ଗୃହମନ୍ତ୍ରୀଙ୍କ ହାତ କମ୍ପୁଥିଲା କାହିଁକି? ମୋଦୀଙ୍କ ଖେଳ ସରିଯାଇଛି।

ରାହୁଲ ଆଉ ମଧ୍ୟ କହିଛନ୍ତି ଆମେ ଶାସନକୁ ଆସିଲେ, ତ୍ରୁଟିପୂର୍ଣ୍ଣ ଆଇନକୁ ବଦଳାଇବୁ; ଜ୍ଞାନେଶ, ସାନ୍ଧୁ ଓ ଯୋଶୀଙ୍କ ବାନ୍ଧିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଭୋଟ ଚୋରି ବିରୋଧରେ ଦେଶର କୋଣଅନୁକୋଣରୁ ସଂଗୃହୀତ ୫ କୋଟି ଲୋକଙ୍କ ଦସ୍ତଖତ ସମ୍ବଳିତ ନଥିପତ୍ରର ପ୍ୟାକେଟ୍‌ଗୁଡ଼ିକୁ ରାହୁଲ ପ୍ରଦର୍ଶିତ କରିଥିଲେ। ସେଗୁଡ଼ିକୁ ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯିବ। ଏହି ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ ଓ ଅନ୍ୟ ନେତୃବୃନ୍ଦ ଭାଷଣ ଦେଇଥିଲେ।

ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରାୟ ସପ୍ତାହେ ହେଲା ଦିଲ୍ଲୀରେ ଥିବା ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ‘‘ଏହି ମହାରାଲି ପାଇଁ ସାରା ଦେଶରୁ ଲକ୍ଷେ ଲୋକଙ୍କ ସମାଗମ ନିମନ୍ତେ ଯୋଜନା ହୋଇଥିଲା। ତେବେ ରାମଲୀଳା ମଇଦାନ ଭିତରେ ଯେତିକି ଲୋକ ଥିଲେ ବାହାରେ ତା’ଠାରୁ ଢେର ଅଧିକ ଲୋକ ଥିଲେ। ତେଣୁ ରାହୁଲ ଜୀ ଓ ଖଡ଼୍‌ଗେ ଜୀ’ଙ୍କ ଡାକରାରେ ଦିଆଯାଇଥିବା ‘ସମ୍ବିଧାନ ବଞ୍ଚାଅ’, ‘ଭୋଟ୍ ଚୋର ଗାଦି ଛାଡ଼’ ଆହ୍ବାନ ସପକ୍ଷରେ ଦେଶବ୍ୟାପୀ ସମର୍ଥନ ରହିଥିବା ରବିବାରର ମହାରାଲିରୁ ପ୍ରମାଣିତ ହୋଇଛି। ଦିଲ୍ଲୀଠାରୁ ଓଡ଼ିଶା ବହୁତ ଦୂରରେ ଥିଲେ ମଧ୍ୟ ଏହି ରାଲିରେ ଯୋଗଦେବା ପାଇଁ ରାଜ୍ୟବାସୀ ଯେପରି ଆଗ୍ରହ ପ୍ରକାଶ କରିଥିଲେ ତାହା ତାଙ୍କ ସମେତ ଦଳର ସମସ୍ତ ନେତାଙ୍କୁ ଅଭିଭୂତ କରିଛି। ଗତ ଜୁଲାଇ ୧୧ ତାରିଖରେ ଭୁବନେଶ୍ବରଠାରେ ଆୟୋଜିତ ରାହୁଲ ଜୀ ଓ ଖଡ଼୍‌ଗେ ଜୀ’ଙ୍କ ‘ସମ୍ବିଧାନ ବଞ୍ଚାଅ ରାଲି’ଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ‘ଭୋଟ୍ ଚାେରି ବିରୋଧରେ ହୋଇଥିବା ମଶାଲ ଶୋଭାଯାତ୍ରା ଓ ଦସ୍ତଖତ ଅଭିଯାନରେ ଦଳୀୟ ନେତା କର୍ମୀଙ୍କ ସମେତ ରାଜ୍ୟବାସୀଙ୍କ ସଂପୃକ୍ତି ଦଳକୁ ଇତିମଧ୍ୟରେ ବହୁତ ଆଗକୁ ନେଇଯାଇଛି। ରବିବାର ଦିଲ୍ଲୀର ମହାସମାବେଶର ଅଭୂତପୂର୍ବ ସଫଳତା ଦେଶରେ ବିଜେପି ଶାସନ ସରିଆସୁଥିବା ସୂଚନା ଦେଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରବିବାରର ଦିଲ୍ଲୀ ସମାବେଶ ପାଇଁ ଓଡ଼ିଶାରୁ ଦୁଇତିନି ଦିନ ପୂର୍ବରୁ ସହସ୍ରାଧିକ ସଂଖ୍ୟାରେ ନେତା ଓ କର୍ମୀଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନରେ ୩୪, ରକାବଗଂଜ ରୋଡ଼୍‌ଠାରେ ଏକତ୍ରିତ ହୋଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଏକ ବିଶାଳ ରାଲିରେ ସମସ୍ତେ ଯାଇ ସମାବେଶ ସ୍ଥଳରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *