Congress to hold week-long Nari Nyay Yatra
ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସର ସପ୍ତାହବ୍ୟାପୀ ନାରୀ ନ୍ୟାୟଯାତ୍ରା ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷିତ ହୋଇଛି । ଆସନ୍ତା ୮ ତାରିଖ ଶୁକ୍ରବାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୩ ଦୁବୃର୍ତ୍ତଙ୍କ ଗିରଫ ଦାବିରେ କଟକ ସ୍ଥିତ ପୋଲିସ୍ ଡିଜି କାର୍ଯ୍ୟାଳୟକୁ ସହସ୍ର ସଂଖ୍ୟାରେ କଂଗ୍ରେସ କର୍ମୀ ଘେରାଉ କରିବେ । ସେଦିନ ସକାଳ ୧୦ ଟାରେ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ ହେବ ।
 
ମହିଳାଙ୍କ ସୁରକ୍ଷା ଦିଗରେ ସଚେତନ ମହିଳା ଓ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସଂଗଠନ ବହୁ ସଂଖ୍ୟାରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ଵାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖ ଶନିବାର ସନ୍ଧ୍ୟାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ପକ୍ଷରୁ ଦାସ ସରକାରଙ୍କୁ ସାତ ଦିନର ମହଲତ ଦେଇଥିଲେ ।
 
ସେହିପରି ଆସନ୍ତା ୧୦ ଅଗଷ୍ଟ, ରବିବାର ପୂର୍ବାହ୍ନ ଆଠଟା ତିରିଶରେ ଦିବଂଗତ ବଳଙ୍ଗା ନାବାଳିକାଙ୍କ ପାଇଁ ‘ନାରୀ ନ୍ୟାୟ ପଦଯାତ୍ରା’ ବାୟାବରରୁ ବାହାରି ନିମାପଡ଼ାରେ ପହଞ୍ଚିବ । ଏଥିରେ ଯୋଗଦେଇ ବଳଙ୍ଗା ପୀଡ଼ିତାଙ୍କ ପାଇଁ ନ୍ୟାୟ ନିମନ୍ତେ ଲଢେଇରେ ସାମିଲ ହେବାକୁ ଦାସ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
 
ଅନ୍ୟ ପକ୍ଷରେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୪ ତାରିଖରେ ବାଲେଶ୍ଵରରେ ହେବାକୁ ଥିବା ନାରୀ ନ୍ୟାୟ ପଦଯାତ୍ରାର କାର୍ଯ୍ୟସୂଚୀ ମଧ୍ୟ ଦାସ ଘୋଷଣା କରିଛନ୍ତି । ୧୪ ତାରିଖ ଗୁରୁବାର ପୂର୍ବାହ୍ନ ୯ ଟାରେ ଫକୀରମୋହନ କଲେଜ ପାଖରୁ ନାରୀ ନ୍ୟାୟ ପଦଯାତ୍ରାରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଅନ୍ୟ ସମସ୍ତଙ୍କୁ ନେଇ ଦଳ ପକ୍ଷରୁ ନଗର ପରିକ୍ରମା କରାଯିବ । ଏହାର ବିସ୍ତୃତ କାର୍ଯ୍ୟସୂଚୀ ଶୀଘ୍ର ପ୍ରକାଶ ପାଇବ ।
 
ସୂଚନାଯୋଗ୍ୟ, ଯେଉଁମାନଙ୍କ ଚାପରେ ବାଲେଶ୍ଵର ପୀଡ଼ିତାଙ୍କ ପାଇଁ ଏଫ୍ଆଇଆର୍ (FIR) ସୁଦ୍ଧା ରୁଜୁ କରାଗଲା ନାହିଁ, ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ତଦନ୍ତ ପରିସର ଭୁକ୍ତ କରିବାକୁ ଦାସ ଦାବି କରିଛନ୍ତି । ଉପରୋକ୍ତ ସମସ୍ତ ଦାବି ପୂରଣ ନ ହେଲେ ସପ୍ତାହବ୍ୟାପୀ ରାଜ୍ୟର ସମସ୍ତ ଥାନାର ଘେରାଉ କାର୍ଯ୍ୟକ୍ରମ କଂଗ୍ରେସ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *