ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଟୁଠାରେ ନବନିଯୁକ୍ତ ଡିସିସି ସଭାପତି ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ତଥା ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ଦାସ କହିଛନ୍ତି, ତିନି ନଦୀର ସଙ୍ଗମ, ଚାରି ରାଜ୍ୟର ମିଳନ ସ୍ଥଳରେ ଫୋନ୍ ନେଟୱର୍କ ନାହିଁ; ବିକାଶ ନାହିଁ । ସବୁ ଥାଇ ଏହା ଏକ ପର୍ଯ୍ୟଟନ ସ୍ଥଳ ହେଲାନାହିଁ । ହାସ୍ୟାସ୍ପଦ କଥା ହେଲା, କ୍ଷମତାରେ ଥିବାବେଳେ ପୋଲାଭରମ ପ୍ରକଳ୍ପକୁ ଅଟକାଇ ପାରି ନ ଥିବା ବିଜେଡି ଏବେ ଧାରଣାରେ ବସୁଛି । ଚାହିଁଥିଲେ ବିସ୍ଥାପିତଙ୍କୁ ପ୍ୟାକେଜ ଦେଇପାରିଥାନ୍ତେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଚିତ୍ରକୋଣ୍ଡାର ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ପରି ଅଭାବନୀୟ ଘଟଣା ପରେ ‘ନାରୀ ପାଇଁ ନ୍ୟାୟ’ କାର୍ଯ୍ୟକ୍ରମ କଂଗ୍ରେସ ଗ୍ରହଣ କରିବାକୁ ବାଧ୍ୟ ହେଲା । ସରକାର ଏଭଳି ସମ୍ବେଦନଶୀଳ ବିଷୟକୁ ନେଇ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ରାଜ୍ୟର ଦୁର୍ଗତି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି, ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଫସଲ ବୀମା ନାହିଁ । ସାରର ବ୍ୟାପକ କଳାବଜାର ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । କଟନିଛଟନିରେ ୨ ହଜାରର ଦୁର୍ନୀତି ହେଲା । କେବିକେ ଓ ଦେଶର ଅନ୍ୟ ପଛୁଆ ଅଞ୍ଚଳର ବିକାଶ ପାଇଁ ୟୁପିଏ ୪୦ ହଜାର କୋଟି ଦେଉଥିଲା । ବର୍ଷକୁ ୨ କୋଟି ହିସାବରେ ଗତ ୧୧ ବର୍ଷରେ ବେକାର ଯୁବକଙ୍କୁ ୨୨ କୋଟି ଚାକିରୀ ଦେବା, ଓବିସି ସଂରକ୍ଷଣ କୁଆଡେ ଗଲା ବୋଲି ଦାସ ବିଜେପିକୁ ପ୍ରଶ୍ନ କରିଛନ୍ତି । ବିଜେପି ଅମଳରେ ସମ୍ବିଧାନ ମଧ୍ୟ ବିପଦରେ । ଏତେ ଦୁର୍ଗତି ସତ୍ତ୍ୱେ ଏମାନେ କିପରି ଜିତୁଛନ୍ତି ବୋଲି ଦାସ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହା ଭୋଟ୍ ଚୋରିର କମାଲ୍ ଛଡା କିଛି ନୁହେଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । Post navigation ଭାଙ୍ଗିଲା ଦୁର୍ଗାପୂଜା ତୋରଣ; ୨ ଜଣ ଆହତ