ଆଉ ଗୋଟିଏ ଦିନ ପରେ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବୃଆରୀ ୧୩ରୁ ୨୧ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ ତାରିଖରୁ ଏପ୍ରିଲ୍ ୫ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଚାଲିବ । ଏହି ସମୟରେ ବିଧାନସଭା ପରିସରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ସହିତ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏ ନେଇ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତା କୁ ଦୃଷ୍ଟିରେ ରଖି, ବିଧାନସଭା ସଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୁଲିସ କମିଶନରେଟ୍ ଭୁବନେଶ୍ଵର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ଲାଗୁ କରାଯାଇଛି। ସେଗୁଡିକୁ ହେଲା :-

୧- ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

୨- ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ଵରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

୩ -ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥ‌ିବା ସମସ୍ତ ଯାନବାହାନ ଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ ।

୪- ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥ‌ିବା ସମସ୍ତ ଯାନବାହାନ ଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବେ ।

୫- ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ ।

ତେବେ ଜରୁରୀକାଳୀନ ସେବା ଯଥା ପୋଲିସ, ଅଗ୍ନିଶମ ଓ ଆମ୍ବଲାନ୍ସ ଏବଂ ବିଧାନସଭା, ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଯିବାକୁ ଥିବା ଗାଡ଼ି ପାଇଁ କଟକଣା ଲାଗୁ ହେବ ନାହିଁ । ଏହା କେବଳ ବିଧାନସଭା ଅଧିବେଶନ ଚାଲୁଥିବା ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *