ଚଳିତ ବର୍ଷ ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ । ଏନେଇ ବିଚାର ବିମର୍ଶ ଚାଲିଛି। ଛାତ୍ରଛାତ୍ରୀଙ୍କ ହିତ୍ ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେବେ ।
ପୂର୍ବରୁ ମୂଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ୧୫ ଦିନର ରିପୋର୍ଟ କାର୍ଡରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଚାର ବିମର୍ଶ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ଦିଗରେ ଉଚ୍ଚଶିକ୍ଷା ବିଭାଗ ବଡ ନିଷ୍ପତ୍ତି ନେଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ସୂଚନା ମୁତାବକ, ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳିନଥିଲା ।