ନୀତି ଆୟୋଗ ବୈଠକରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର ଅଧିକାରୀମାନଙ୍କ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ କାର୍ଯ୍ୟ କରୁଥିବା ଓଡ଼ିଶା କ୍ୟାଡର ଅଧିକାରୀ ଏବଂ ଓଡ଼ିଆ ଅଧିକାରୀମାନେ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଉଚ୍ଚ ପଦାଧିକାରୀଙ୍କ ସହଯୋଗ କାମନା କରିଛନ୍ତି।

ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ସେ ଏହି ଅଧିକାରୀଙ୍କ ସହଯୋଗ ଲୋଡିଥିଲେ। ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶା ପ୍ରତି ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ଵତନ୍ତ୍ର ଧ୍ୟାନ ଓଡ଼ିଶା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ନିଶ୍ଚୟ ତାର ଅଭିଳାଷିତ ଲକ୍ଷ୍ୟ ହାସଲ କରିପାରିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୀତି ଆୟୋଗର Governing Council ବୈଠକରେ ମୁଁ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ କାମନା କରିଛି।

ଯେଉଁ ଯେଉଁ କ୍ଷେତ୍ର ପାଇଁ ଆମକୁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ସେଗୁଡିକ ହେଲା: ବନ୍ଦରଭିତ୍ତିକ ବିକାଶ, ଇଣ୍ଡଷ୍ଟ୍ରିଆଲ କରିଡର ଓ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ, ରେଲୱେ ଓ ଏୟାରପୋର୍ଟ ଭିତ୍ତିଭୂମି ସ୍ଥାପନ ପାଇଁ ଅଧିକ ଅର୍ଥର ବରାଦ ଏବଂ ଆବଶ୍ୟକ ମଞ୍ଜୁରି, ପ୍ରାକୃତିକ ବିପର୍ଯ୍ୟୟ ସହଣିୟ ଭିତ୍ତିଭୂମିର ବିକାଶ ପାଇଁ ସହାୟତା, ସବୁଜ ଅର୍ଥନୀତିର ବିକାଶ ପାଇଁ ହାଇଡ୍ରୋ ଷ୍ଟୋରେଜ ପ୍ଲାଣ୍ଟ ଓ ସୋଲାର ପ୍ରକଳ୍ପ ପାଇଁ ସହାୟତା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳରେ ବ୍ୟାଙ୍କ ଶାଖା ଓ ATM ପ୍ରତିଷ୍ଠା, ଖଣିଜ ଶିଳ୍ପର ବିକାଶ ପାଇଁ ସହଯୋଗ, ରେଳ ନେଟୱର୍କର ବିକାଶ, ବୈଦେଶିକ ପୁଞ୍ଜି ଓ ସେମି କଣ୍ଡକ୍ଟର ପରି ଆଧୁନିକ ଶିଳ୍ପର ବିକାଶ ପାଇଁ ସହଯୋଗ, ଜଙ୍ଗଲ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପରି ରାଜ୍ୟକୁ ଅଧିକ ପ୍ରୋତ୍ସାହନ ଓ ଆହୁରି ଅନେକ ପ୍ରସ୍ତାବ।

ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଳିକ୍ଷ୍ଠ ଅବଦାନ ଆଶା କରୁଛି ବୋଲି ପ୍ରକାଶ କରି ସେ କହିଥିଲେ ଏଥିପାଇଁ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ। ଏଥିପାଇଁ ସମାଜର ସବୁସ୍ତରରେ ସହଯୋଗ ଆବଶ୍ୟକ। ନବଗଠିତ ଓଡିଶା ସରକାର ଜୁଲାଇ ୨୫ ତାରିଖରେ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ସେ ଏହି ବଜେଟ୍ ଉପସ୍ଥାପନ କରିଥିଲେ।

ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ସମାଜର ବିଭିନ୍ନ ବର୍ଗ ଯଥା ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ରହି ସେମାନଙ୍କର ବହୁମୂଲ୍ଯ ମତାମତ ପ୍ରଦାନ କରିଥିଲେ। ଏହା ସହିତ ଅନଲାଇନ ଜରିଆରେ ମଧ୍ୟ ପ୍ରାୟ ୧୨ ହଜାରରୁ ଊର୍ଦ୍ଧ୍ୱ ମତାମତ ଆସିଥିଲା। ଏହା ପୂର୍ବ ବର୍ଷ ଅପେକ୍ଷା ୬ ଗୁଣ ଅଧିକ । ତେଣୁ ଆମର ଏହି ବଜେଟରେ ଲୋକଙ୍କ ମତାମତ ପ୍ରତିଫଳିତ ହୋଇଛି । ଆମ ବଜେଟ୍ ବାସ୍ତବରେ ଲୋକଙ୍କ ବଜେଟ୍ ଭାବରେ ଜନସାଧାରଣଙ୍କ ସ୍ଵୀକୃତି ପାଇଛି। ଏହା ଏକ ଲୋକାଭିମୁଖୀ ବଜେଟ୍। ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ଏହା ଆଦୃତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସରକାର ‘ଲୋକଙ୍କ ସରକାର’ ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିକଶିତ ଓଡିଶାର ପରିକଳ୍ପନା ଓ ରୂପରେଖ ନିର୍ଦ୍ଧାରଣ ପାଇଁ ସମାଜର ସବୁବର୍ଗର ସୁଚିନ୍ତିତ ମତାମତ ସବୁବେଳେ ସ୍ବାଗତଯୋଗ୍ୟ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ଓଡିଶାର ଅଧିକାରୀମାନଙ୍କ ସହଯୋଗ ଆମ ଉଦ୍ୟମକୁ ବାସ୍ତବ ରୂପ ଦେବାରେ ସହାୟକ ହେବ।

କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ବିଶେଷକରି ଯେଉଁମାନେ ବିଭିନ୍ନ ପ୍ରକଳ୍ପର ମଞ୍ଜୁରି ପ୍ରଦାନ କରିଥାନ୍ତି ଯଥା ବନବିଭାଗ, ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ, ଶିଳ୍ପ, ରେଲୱେ, ବେସାମରିକ ବିମାନ ଚଳାଚଳ ଏବଂ ଯେକୌଣସି ମନ୍ତ୍ରାଳୟ ଯେଉଁଠି ଓଡ଼ିଶା କ୍ୟାଡରର ଅଧିକାରୀମାନେ ଅଛନ୍ତି, ସେମାନଙ୍କ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

ଆପଣମାନଙ୍କର (କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା ଓଡ଼ିଶା କ୍ୟାଡରର ଅଧିକାରୀମାନେ) ଗଠନମୂଳକ ମତାମତ ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଆମ ସରକାରଙ୍କ ଦ୍ୱାର ସଦାସର୍ବଦା ଉନ୍ମୁକ୍ତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଆମେ ଆହୁରି ଅନେକ ଥର ବିଚାରବିମର୍ଷ କରିବା ଏବଂ ଏକମନ ହୋଇ ବିକଶିତ ଓଡିଶାର ପରିକଳ୍ପନାକୁ ବାସ୍ତବ ରୂପ ଦେବା ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *