ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ଟେକ୍ନିକାଲ ମ୍ୟାନପାୱାର ନିଯୁକ୍ତ କରି କାର୍ଯ୍ୟକ୍ରମଗୁଡିକୁ ଆଗେଇ ନେବା ଉଚିତ ବୋଲି ସେ କହିଥିଲେ।

ଯେହେତୁ ରାଜ୍ୟ ସରକାର ୨୦୩୬ ଓ ୨୦୪୭ ପାଇଁ ବଡ ଭିଜନ୍ ରଖି କାମ ଆରମ୍ଭ କରିଛନ୍ତି, ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ ଟିମ୍ ସ୍ପିରିଟ୍ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏପ୍ରିଲ-ଜୁଲାଇ ଅବଧିର ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଏକ ତୁଳନାତ୍ମକ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ଅବଧି ମଧ୍ୟରେ ସମୁଦାୟ ଆୟର ପରିମାଣ ୫୭,୦୮୫ କୋଟି ଟଙ୍କା ଥିବା ବେଳେ ଗତବର୍ଷ ସେହି ଅବଧି ମଧ୍ୟରେ ଆୟର ପରିମାଣ ୫୧,୨୩୪ କୋଟି ଟଙ୍କା ଥିଲା। ଏହି ପରିମାଣ ଗତ ବର୍ଷର ଏହି ଅବଧିର ଆୟ ଅପେକ୍ଷା ୧୧.୪୨ ପ୍ରତିଶତ ଅଧିକ।

Leave a Reply

Your email address will not be published. Required fields are marked *