ନିର୍ବାଚନ ପ୍ରଚାରର ଶେଷ ଦିନରେ ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି କଂଗ୍ରେସର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଉପଯୁକ୍ତ ସମୟ ଦେଇଥିବାରୁ ସମସ୍ତ ଗଣମାଧ୍ୟମର ବନ୍ଧୁମାନଙ୍କୁ ହୃଦୟରୁ ଧନ୍ୟବାଦ। ସମସ୍ତ ନୂଆପଡ଼ା ବାସୀଙ୍କୁ କୃତଜ୍ଞତା। ବିଶେଷ କରି ନୂଆପଡ଼ାର ମା, ଭଉଣୀଙ୍କ କଂଗ୍ରେସ ପ୍ରତି ଆଗ୍ରହ, ଉଦ୍ଦୀପନା ଓ ସ୍ବାଗତ ପାଇଁ ଆମେ ଋଣି। କଂଗ୍ରେସ ଦଳ ଏବଂ ଆମ ଦଳର ସମସ୍ତ ନେତୃବୃନ୍ଦ ସମ୍ପୂର୍ଣ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରଚାର କରିଛି। ଆମେ ଜିଲ୍ଲା ଆଇନଜୀବୀ ସଂଘ୍, ବିଭିନ୍ନ ନାଗରିକ ଏବଂ ଯୁବକ ସଂଘ, ସମବାୟ ସଂଘ ଓ ବିଭିନ୍ନ ସମାଜ ସହିତ ନୂଆପଡ଼ା ଆବହେଲିତ କାହିଁକି ବିଶଦ ଆଲୋଚନା କରିଛୁ। ନୂଆପଡ଼ା ସହିତ ମୋର ସମ୍ପର୍କକୁ ପୁନର୍ଜୀବିତ କରିବାକୁ ସୁଯୋଗ ପାଇଛି। ସେଥିପାଇଁ ପୁଣି ନୂଆପଡ଼ାକୁ ଧନ୍ୟବାଦ। ଭକ୍ତ ଦାସ କହିଛନ୍ତି ଦୁଃଖର କଥା ବିଜେପି କେବଳ ଗୋଟିଏ ସଭା ପାଇଁ ୧୫/ ୨୦ ଲକ୍ଷ ଟଙ୍କାର ପୋଷ୍ଟର ଓ ହୋର୍ଡିଂ ରେ ଖର୍ଚ୍ଚ କରୁଛି। ସହରଜାକ ଗଛ ଏବଂ ଇଲେକ୍ଟ୍ରି ଖୁଣ୍ଟିରେ ପୋଷ୍ଟର ମାରୁଛି । ପୋଷ୍ଟର ଓ ପତାକା ରେ ଦୁଇ/ ତିନି କୋଟି ବିଜେପି ଖର୍ଚ୍ଚ କରୁଛି । ଡିଜେ ପ୍ରଚାର ଗାଡ଼ି ରାସ୍ତା ଅବରୋଧ କରି ଘଣ୍ଟା ଘଣ୍ଟା ରହୁଛି। ସଭାକୁ ବାହାର ଲୋକ ହଜାର ହଜାର ସଂଖ୍ୟାରେ ବସରେ ଅଣାଯାଉଛି। ଲୋକଙ୍କ ଭିଡ ଦେଖି ଦଳ ପ୍ରତି ସମର୍ଥନ ଅଛି ବୋଲି ଅପ୍ରାକୃତିକ ଭିଡ କରାଯାଉଛି। କିନ୍ତୁ କଂଗ୍ରେସ ସଭାକୁ ଯେତେ ଲୋକ ଆସୁଛନ୍ତି ସେମାନେ ସ୍ଵତଃ ପ୍ରବୃତ୍ତ ଯୋଗ ଦେଉଛନ୍ତି। ଏହାପରେ ଗଣମାଧ୍ୟମ ପ୍ରଶ୍ନ କରିଥିଲା କଂଗ୍ରେସର ଭିଡ ସେତେ ନାହିଁ କାହିଁକି ? ଆମର ଉତ୍ତର ହେଉଛି ଆମର ଭିଡ ଲୋକ ଦେଖାଣିଆ ନୁହେଁ । ଆମକୁ ଲୋକ ଆଣିବାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରବୋଡ ସଭାରେ ବିଜେଡି ୫୦୦ ଟଙ୍କା ଲେଖାଏଁ ଦେଇ ୧୦ ହଜାର ଲୋକଙ୍କ ଭିଡ କରିଥିଲା। କିନ୍ତୁ ନବୀନ ବାବୁ ଭାଷଣ ଦେବା ବେଳକୁ ହଜାରେ / ପନ୍ଦରଶହ ଲୋକ ମାତ୍ର ଥିଲେ। ଏହା ହେଉଛି ପ୍ରାୟୋଜିତ ଭିଡର ପରିସ୍ଥିତି । କଂଗ୍ରେସ ସଭାକୁ ସ୍ଥାନୀୟ ଲୋକ ଆସୁଛନ୍ତି , ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ହେଉଛି ସେମାନଙ୍କ ଏବଂ ଆମ ମଧ୍ୟରେ ଫରକ୍। ଆମେ ଯେଉଁ ଗ୍ରାମପଞ୍ଚାୟତକୁ ଗଲେ ଲୋକେ ଆପଣାଛାଏଁ ଆସି ଆମ ସାଥିରେ ମିଶୁଛନ୍ତି। ହୃଦୟରୁ ଆମ ମାନଙ୍କୁ ସହଯୋଗ କରୁଛନ୍ତି। କିନ୍ତୁ ସେମାନେ କେବଳ ନିର୍ବାଚନ ମ୍ୟାନେଜମେଣ୍ଟ କରୁଛନ୍ତି। ମୁଁ ଏତେ ନିର୍ବାଚନ ଲଢିଛି କିନ୍ତୁ ଏପରି ମାଇକ୍ରୋ ମ୍ୟାନେଜମେଣ୍ଟ କରିନାହିଁ। ଏହାର ସୁଫଳ ଆମ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଶ୍ଚୟ ପାଇବେ। କିଛି ବିଜେଡି ସାଥିରେ ଭକ୍ତ ଦାସର ବୁଝାମଣା ହୋଇଛି ବୋଲି ପ୍ରଚାର କରିଛନ୍ତି। ମୁଁ କହିଦେବାକୁ ଚାହେଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସହିତ ବୁଝାମଣା କରିବା ଦୂର କଥା କଥାବାର୍ତ୍ତା ହେବାର ମଧ୍ୟ ସ୍ତର ନାହିଁ। ଏ ଅଞ୍ଚଳର ଦାଦନ ଦୁଃଖ ଅବର୍ଣ୍ଣନୀୟ। ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ, ତିଖାଲୀ ଡ୍ୟାମରୁ ପାଣି ମିଳୁନାହିଁ, ମହିଳା କଲେଜ ନାହିଁ, ଶିକ୍ଷକ ନାହାନ୍ତି, ଡ଼ାକ୍ତରଖାନାରେ ଉପକରଣ ନାହିଁ, ବିଶେଷଜ୍ଞ ନାହାନ୍ତି, ବେକାରୀ, ଚୁକ୍ତି ଭିତ୍ତିକ ଚାକିରି ଆଦି କଥା କହିଲେ ନସରେ। ଏସବୁ ସମସ୍ୟାର ସମାଧାନ କଥା ନକହି ମୁଖ୍ୟମନ୍ତ୍ରୀ ନୂଆ ହେଲିକେପ୍ଟର ଦେଖିବାକୁ ଲୋକଙ୍କୁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସୁନାବେଢା ଉପର ଦେଇ ଶହ ଶହ ବିମାନ ରାୟପୁର ଗତାଗତ କରୁଛି । ଆଉ ସେ ହେଲିକେପ୍ଟର ଦେଖିବା ଯୁଗ ନାହିଁ । କିଛି ବିକାଶମୂଳକ କାର୍ଯ୍ୟ ଯଦି କରିଥାନ୍ତେ ତେବେ ହେଲିକେପ୍ଟର ଦେଖିବାପାଇଁ ଲୋକଙ୍କୁ ଡାକି ହସର ପାତ୍ର ହେବାକୁ ପଡ଼ି ନଥାନ୍ତା ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହୋଇ ପାଣ୍ଡୁ ଏବଂ ଅନ୍ୟ ଏକ ଶବ୍ଦ ଯାହା ମୁଁ ବ୍ୟବହାର କରି ପାରିବି ନାହିଁ କିଭଳି ଏକ ସାଧାରଣ ସଭାରେ କହିଲେ ? ସାଧାରଣ ସ୍ଥାନରେ ଏଭଳି ଅପଶବ୍ଦ କାହା ପ୍ରତି ବ୍ୟବହାର କରାଯିବା ଆଇନ ଅନୁଯାଇ ଏକ ଦଣ୍ଡନୀୟ ଅପରାଧ ଏବଂ ଏହା ଫୌଜଦାରୀ ଅପରାଧ ଶ୍ରେଣୀ ଅନ୍ତର୍ଭୁକ୍ତ । ସର୍ବସାଧାରଣରେ ମାଆ ଭଉଣୀଙ୍କ ସାମ୍ନାରେ ଏଭଳି ଅପଶବ୍ଦ ବ୍ୟବହାର କରିବା ଯୋଗୁଁ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ? ମୁଖ୍ୟମନ୍ତ୍ରୀ ଖୋଦ ଗୃହବିଭାଗର ମୁଖିଆ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସତ ସାହସ ଅଛିକି ବୋଲି ପ୍ରଶ୍ନ ପଚାରିବା ସହ ମୁଖ୍ୟମନ୍ତ୍ରୀ ଏଭଳି ଅଶୋଭନୀୟ ବ୍ୟବହାର ପାଇଁ ରାଜ୍ୟବାସୀଙ୍କ ଆଗରେ ଭୁଲ ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ । ଆମ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଟିର ସନ୍ତାନ ସେ ସତ୍ୟପଥରେ ଅଛନ୍ତି । ତାଙ୍କ ବିଜୟ ନିଶ୍ଚିତ । ବିଜୟ ହେବା ଦିନଠୁ ନୂଆପଡାର ଜୟଯାତ୍ରା ଆରମ୍ଭ ହେବ ବୋଲି ଭକ୍ତ ଦାସ ଗଣମାଧ୍ୟମକୁ କହିଥିଲେ । Post navigation Nuapada Bypoll: ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ