ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଫସଲ କ୍ଷୟକ୍ଷତି ଘଟିଛି । ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନିଜେ ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମେ ନୟାଗଡ ରଣପୁର ବ୍ଲକ କାଣ୍ଡପଡାରେ ମୁଖ୍ୟମନ୍ତ୍ରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ନିଜେ ଚାଷୀଙ୍କ ଜମିରେ ପହଞ୍ଚି ଧାନ କେଣ୍ଡା ଦେଖି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିଥିଲେ।

ଏହା ପରେ ସେଠୁ ବାହାରି ଗଜପତି ଜିଲ୍ଳା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଗ୍ରାମ୍ ପଞ୍ଚାୟତର ଲିଙ୍ଗିପୁର ଗାଁ ଓ ଗୁରାଣ୍ଡି ଗ୍ରାମ୍ୟ ପଞ୍ଚାୟତରେ ଚାଷ ଜମି ସମୀକ୍ଷା କରିବା ପରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଆଙ୍କୁଳି ଗ୍ରାମକୁ ଯାଇ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ କ୍ଷୟକ୍ଷତି ହୋଇଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଗଞ୍ଜାମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଓ ଜିଲ୍ଲାର ଦୁଇ ମନ୍ତ୍ରୀ ବିଭୁତି ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ ।

ଅନ୍ୟପଟେ ଆସନ୍ତାକାଲି ସୁଦ୍ଧା ସୁଦ୍ଧା ସଂପୂର୍ଣ୍ଣ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଗତାକାଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଫସଲ ବୀମା କରି ନ ଥିଲେ ବି କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ଚାଷ ଜମି ସମୀକ୍ଷା କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *