ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ଖାରବେଳ ସ୍ଥିତ ବାସଭବନରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ୱର୍ଗଦ୍ୱାରରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ହେବ । ଗତକାଲି ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆରେ ଏକ୍ସରେ ଶୋକ ବାର୍ତ୍ତା ଦେଇ କହିଥିଲେ ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଅଳ୍ପ କେତେଜଣ ଶ୍ରେଷ୍ଠ କବି ଙ୍କ ମଧ୍ୟ ରେ ସେ ଥିଲେ ଅନ୍ୟତମ । ସପ୍ତମ ଋତୁ,ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତ ରେ ଚିର ଦିନ ପାଇଁ ଅମରକରି ରଖିବ । ଏହା ସହ ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ; ପ୍ରଖ୍ୟାତ କବି, ଅବସରପ୍ରାପ୍ତ ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥଙ୍କର ସ୍ଥାନୀୟ ଖାରବେଳନଗରସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ରାଜନେତା, ସାହିତ୍ୟିକ ଏବଂ ଶୁେଭଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି । ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ। Post navigation ଗାଁରେ ବୁଲୁଛି ମହାବଳ ବାଘ; ଲୋକେ ଆତଙ୍କିତ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ