ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ତାରକା ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ପରିବାରଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ‘ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ହେଉଛନ୍ତି ଉତ୍ତମ ମହାନ୍ତି । ତାଙ୍କର ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି । ସୂଚନାଯୋଗ୍ୟ; ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ କଲେଜ ପଢ଼ିବା ସମୟରେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ୧୯୭୭ ମସିହାରେ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସେ ପାଦ ଥାପିଥିଲେ ।ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଉତ୍ତମ ମହାନ୍ତିଙ୍କୁ ୧୯୯୯ରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅନେକ ଥର ଶ୍ରେଷ୍ଠ ଅଭିନେତା ଓ ସହ ଅଭିନେତା ଭାବେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଉତ୍ତମ ମହାନ୍ତିଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । Post navigation ଉତ୍ତମ ମହାନ୍ତିଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୋକ ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି; ଦିଆଗଲା ଗାର୍ଡ ଅଫ୍ ଅନର୍