ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜବାବ ଦେଇ କହିଲେ ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧହୁଏ ତାଙ୍କର ବିଧାନସଭାଠୁ ଅନ୍ୟକିଛି ଗୁରୁତ୍ବପୂର୍ଣ୍ଣ କାମ ରହିଥିବ ।  ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ନବୀନଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ରହିଛି ଏବଂ ରାଜ୍ୟରେ ଶାନ୍ତି ବଜାୟ ରହିଛି । ୮୧ ଦିନ ସରକାରରେ ଅପରାଧିକ ସ୍ଥିତି ନେଇ ୨ରୁ ୩ଥର ସମୀକ୍ଷା କରାଯାଇଛି । ସମୀକ୍ଷା ପରେ କାର୍ଯାନୁଷ୍ଠାନ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ ।

ଏହା ସହ ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ କେବେ ଧ୍ୟାନ ଦେଇନାହାନ୍ତି । ପୂର୍ବ ସରକାରରେ ଅପରାଧୀଙ୍କ ମନରେ ଡର କି ଭୟ ନଥିଲା । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋଲିସକୁ ତା କାମ କରିବାକୁ ଦିଆଯାଇ ନଥିଲା । କିନ୍ତୁ ଆମ ସରକାର ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନଯୋଗ୍ୟ; ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଥିଲେ, ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ। ଏଥିପାଇଁ ସାରା ଦେଶରେ ଏକ ପରିଚୟ ରହିଛି। ରାଜ୍ୟରେ ବଢ଼ୁଥିବା ଅପରାଧ, ହିଂସା, ବଡ଼ ଠାକୁର ବଳଭଦ୍ର ତଳେ ପଡିଯିବା ଘଟଣା, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ଘଟଣା ଆଦି ଘଟିଯାଇଛି ଯାହା ରାଜ୍ୟରେ ଏପରି ହେବା ଉଚିତ ନୁହେଁ।

ସେ ଆଉ ମଧ୍ଯ କହିଛନ୍ତି ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ରାଜ୍ୟପାଳ,ମନ୍ତ୍ରୀ, ବିଧାୟକଙ୍କ ପୁଅ ପାଇଁ ଅଲଗା ନିୟମ କି? ରାଜ୍ୟପାଳ, ମନ୍ତ୍ରୀ, ବିଧାୟକଙ୍କ ପୁଅ କ’ଣ ଆଇନ ଉପରେ କି? ମୋ ସରକାର ବେଳେ ଆଇନ ତା’ ବାଟରେ ଯାଉଥିଲା ।

୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗତବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ୱା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନ୍ଦୋଳନ କରିନାହାନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ମୋଟାମୋଟି ଭାବରେ ଶାନ୍ତିପୂର୍ଣ୍ଣ ରହିଛି।

Leave a Reply

Your email address will not be published. Required fields are marked *