ବଜେଟ ୨୦୨୪-୨୫ ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ବିଶେଷକରି କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରି ବିଜେପି ପ୍ରଥମ ଥର ଓଡିଶାରେ ସରକାର ଗଠନ କରିଛି। ବିଜେପି ସରକାରର ପ୍ରଥମ ବଜେଟ୍ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱ ବହନ କରିଛି । ବଜେଟ୍‌ରେ ସମାଜର ୪ଟି ବର୍ଗ ଯଥା ଗରିବ, ମହିଳା, ଯୁବକ, କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଆଧାର କରି ଓଡ଼ିଶାର ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ୨୪ବର୍ଷର ବିଜେଡି ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରୁଥିଲା ସେଥିରୁ ଚଳିତବର୍ଷର ବଜେଟ୍ ୧୫% ବଢ଼ିଛି । ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ୍ କରିଛନ୍ତି। ବିଜେପି ସରକାର ହେଉଛି ଲୋକଙ୍କ ସରକାର, ଏଣୁ ଏହି ବଜେଟ୍ ହେଉଛି ଲୋକଙ୍କ ବଜେଟ । ଏଥିଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ଓଡ଼ିଶାର ୬୫% ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ଆମ ସରକାର ଧାନ କୁଇଣ୍ଟାଲ ୩୧ଶହ ଟଙ୍କାକୁ ବୃଦ୍ଧି କରିଛି। କୃଷକଙ୍କୁ ବିହନଠାରୁ ବଜାର ପର୍ଯ୍ୟନ୍ତ ସଶକ୍ତ କରିବା ସହ ଜଳସେଚନ, ମଣ୍ଡିର ବ୍ୟବସ୍ଥା, କୃଷି ଯନ୍ତ୍ରପାତି, ଉପକରଣ ଏବଂ ଡିଜେଲ ପମ୍ପସେଟ୍ ଇତ୍ୟାଦି ଉପରେ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ପ୍ରଚୁର ଅର୍ଥର ବ୍ୟବସ୍ଥା କରାଯାଇଛି। ଆଳୁ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି। ଫଳରେ ଖାଉଟିମାନେ ଖର୍ଚ୍ଚାନ୍ତ ହେଉଛନ୍ତି। କେନ୍ଦ୍ର ସରକାର ପରିବା ପାଇଁ କ୍ଲଷ୍ଟର ବ୍ୟବସ୍ଥା କରିଛନ୍ତି, ଯାହାର ସୁଫଳ ଓଡ଼ିଶାର ଚାଷୀ ପାଇବେ। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ପ୍ରଚେଷ୍ଟା କରାଯାଇଛି । କୃଷକଙ୍କ ପାଇଁ ବଜେଟ୍‌ରେ ଅଧିକ ପ୍ରୋତ୍ସାହନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଜେଡି ୨୪ ବର୍ଷ ଶାସନ କରିବା ପରେ ମଧ୍ୟ “ଆତ୍ମନିର୍ଭରଶୀଳ ଓଡ଼ିଶା” କରିବାରେ ବିଫଳ ହୋଇଛି । ବିଜେଡି ସରକାର ସମୟରେ ମହିଳା ସଶକ୍ତିକରଣର ମିଥ୍ୟା ପ୍ରଚାର ଚାଲିଥିଲା। ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା ବିଜେଡି। ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଜେପି ସରକାର “ସୁଭଦ୍ରା” ଯୋଜନାରେ ୧୦ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛି । ସେହିପରି ଆଗାମୀ ଦିନରେ ୨୫ ଲକ୍ଷ ମହିଳାଙ୍କୁ “ଲକ୍ଷପତି ଦିଦି” କରାଯିବା ସହ ରୋଜଗାରକ୍ଷମ କରାଯିବ।

୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମତା ଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଭତ୍ତାର ପରିମାଣ ୩ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସାରା ଓଡ଼ିଶାରେ ପ୍ରାୟ ୫ ଲକ୍ଷ ୨୬ ହଜାର ୮୩୩ ଜଣ ଏହି ଭତ୍ତାର ସୁବିଧା ପାଇବେ। ଜନଜାତି ବର୍ଗ ବିଶେଷ କରି ଆଦିମ ଜନଜାତିମାନଙ୍କ ଉନ୍ନତି ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ଯୋଜନାକୁ ନବୀନ ବାବୁ ନିଜ ଯୋଜନାର ନାଁ ଦେଇ ବାଟବଣା କରିଛନ୍ତି ।

ପିଏମ୍ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନାରେ ପ୍ରଚୁର ଅର୍ଥ ବରାଦ କରାଯାଇଛି । ସେହିପରି ପ୍ରାଥମିକ, ମାଧ୍ୟମିକ, ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସ୍କୁଲ ଡ୍ରପଆଉଟ ହାରକୁ ରୋକିବା ପାଇଁ “ମାଧୋ ସିଂହ ହାତ ଖର୍ଚ୍ଚ” ଯୋଜନାରେ ବଜେଟ୍‌ରେ ବ୍ୟୟ ବରାଦ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଅର୍ଥ ଆବଂଟନ କରାଯାଇଛି, ଯାହାକି ମୋଟ ବଜେଟ୍‌ର ପ୍ରାୟ ୮ ପ୍ରତିଶତ ।

କ୍ରୀଡା ଓ ଯୁବସେବା, ନଗର ଉନ୍ନୟନ, ଜୀବିକା ଏବଂ ମୌଳିକ ସେବା, ସଡକ, ରେଳପଥ ଓ ପରିବହନ, ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ବିପର୍ଯ୍ୟୟ ପରିଚାଳନା, ଅଭ୍ୟନ୍ତରୀଣ ନିରାପତା ଓ ନ୍ୟାୟିକ ପ୍ରଶାସନ ଇତ୍ୟାଦିକୁ ମଧ୍ୟ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ୮ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହିତ ପୂର୍ବୋଦୟ ମାଧ୍ୟମରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ଯୋଜନା ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଓ ଆକାଂକ୍ଷି ଜିଲ୍ଲାର ପଛୁଆ ଅଂଚଳ ଗୁଡିକ ବିକଶିତ ହେବ । ପ୍ରଧାନମନ୍ତ୍ରୀ ଆବାସ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଓଡ଼ିଶା ବ୍ୟାପକ ଲାଭ ପାଇବ। ମହିଳାକୈନ୍ଦ୍ରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଉଦ୍ୟୋଗଗୁଡିକର ବଜାର ପ୍ରବେଶ ଦ୍ୱାରା ଓଡ଼ିଶା ବିଶେଷଭାବେ ପ୍ରଭାବିତ ହେବ। ମୁଦ୍ରା ଲୋନ ରାଶି ବୃଦ୍ଧି କରିବା, ଏମଏସ୍‌ଏମଇ ସେକ୍ଟରରେ ଋଣ ସହାୟତା ଓ କ୍ରେଡିଟ୍ ଗ୍ୟାରେଂଟି ସହିତ ଯୁବକମାନଙ୍କୁ ଶିଳ୍ପସଂସ୍ଥା ସହୟତାରେ ସ୍କିଲ୍ଡ କରାଇବା ଓ ଟପ୍ ୫୦୦ କମ୍ପାନୀରେ ପେଡ୍ ଇଂଟର୍ଣ୍ଣସିପ୍ ବ୍ୟବସ୍ଥା ଦ୍ୱାରା ଓଡ଼ିଶାବାସୀ ଅନେକ ଲାଭବାନ ହେବେ।

ଉଠାଦୋକାନୀମାନଙ୍କ ଷ୍ଟ୍ରିଟ୍ ଫୁଡ ହବ୍ ଓ ସାପ୍ତାହିକ ହାଟ ନିର୍ମାଣ, ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ, ପରିବା ଉତ୍ପାଦନ କ୍ଲଷ୍ଟର, ଅଧିକ ଶିଳ୍ପ ପାର୍କ, ରୋଜଗାର ସୃଷ୍ଟି କରୁଥିବା ଉତ୍ପାଦନ ଭିର୍ତିକ ଶିଳ୍ପ ଉପରେ କେନ୍ଦ୍ର ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ଲାଭବାନ ହେବ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ସହଜ ଋଣ ବ୍ୟବସ୍ଥା ସ୍ୱାଗତଯୋଗ୍ୟ। ରେଳବାଇ କ୍ଷେତ୍ରରେ ଓଡ଼ିଶା ପାଇଁ ବଜେଟ୍‌ର ପରିମାଣ ୧୦ହଜାର ୫୮୬କୋଟି ଟଙ୍କାରେ ପହଂଚିଛି ।

Leave a Reply

Your email address will not be published. Required fields are marked *