ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସ୍‌ଟିକୁ ଉଚ୍ଛେଦ କରିବା ଦାବିକୁ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କରିଥିଲେ । ସେ କହିଥିଲେ, କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ନିଷ୍ପଭିକୁ ବିଜୁ ଜନତା ଦଳ ଓ ନବୀନ ସରକାର ପ୍ରଥମ ଦିନରୁ ବିରୋଧ କରିଆସୁଛନ୍ତି । ରାଜ୍ୟର ପ୍ରାୟ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳି, ଯାହା ମଧ୍ୟରୁ ନବେ ପ୍ରତିଶତ ମହିଳା ନିଜର ଜୀବନ ଜୀବିକା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । ନିକଟରେ କେନ୍ଦ୍ର ବଜେଟରେ ବିଭିନ୍ନ ଜିନିଷ ଉପରେ ଜିଏସ୍‌ଟି ଦର ହ୍ରାସ କରିଥିବା ବେଳେ କେନ୍ଦୁପତ୍ର ଉପରେ ପୂର୍ବପରି ୧୮ ପ୍ରତିଶତ ଦର ଅପରିବର୍ଣିତ ରହିଛି ।

ଉଲ୍ଲେଖଯୋଗ୍ୟ, ବିଜେପି ଏହାର ୨୦୧୯ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟିକୁ ସମ୍ପୂର୍ଣରୂପେ ଉଠାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶାର ତିନୋଟି ନିର୍ବାଚନୀ ସଭାରେ ଏହି ପ୍ରତିଶ୍ରୁତିକୁ ଦୃଢ଼ ଭାବେ ଉପସ୍ଥାପନ କରିଥିଲେ । କିନ୍ତୁ, ନିର୍ବାଚନରେ ଯଦିଓ ବିଜେପି କ୍ଷମତା ହାସଲ କରିଥିଲା, ଏହି ପ୍ରତିଶ୍ରୁତି ପ୍ରତି ଦୃଷ୍ଟି ଦେଇନଥିଲା। ପ୍ରତିଶ୍ରୁତି ଦେଇ ଭୋଟ୍ ହାସଲ କରିବା ପରେ ପ୍ରତିଶ୍ରୁତି ପାଳନ ନ କରିବା ବିଜେପିର ପୁରୁଣା ଅଭ୍ୟାସ ବୋଲି ଶ୍ରୀ ମହାନ୍ତି କହିଥିଲେ ।

ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ କରିବା ପାଇଁ ଚାରି ଥର ପତ୍ର ଲେଖି ରାଜ୍ୟ ସରକାରଙ୍କ ତରଫରୁ ଦାବି ଜଣାଇଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ କାର୍ଯ୍ୟରତ ପ୍ରାୟ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସାମାଜିକ ସୁରକ୍ଷା ପାଇଁ ନବୀନ ସରକାର ଅନେକ ପଦକ୍ଷେପ ନେଇଥିଲେ। କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ସେହିପରି କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ପଚିଶ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିକୁ କେନ୍ଦ୍ର ସରକାର କଣ୍ଠପାତ ନ କରିବାରୁ, ରାଜ୍ୟ ସରକାରଙ୍କ ନିଜ ଅଂଶ (୯%) ପରିମାଣକୁ କେନ୍ଦୁପତ୍ର ସଂସ୍ଥାକୁ ଫେରାଇ ଦେବାର ନିଷ୍କରି ନେଇଥିଲେ ।

ରାଜ୍ୟର ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଆମେ ଦାବି କରୁଛୁ। ସେପରି ରାଜ୍ୟର ବିଜେପି ସରକାର ମଧ୍ୟ ଏହି ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରନ୍ତୁ ।

ଉଲ୍ଲେଖଯୋଗ୍ୟ, ସୁନା ହୀରା ଭଳି ଦାମୀ ଜିନିଷ ଉପରେ ମାତ୍ର ତିନି ପ୍ରତିଶତ ଜିଏସଟି ରହିଥ‌ିବା ବେଳେ ବିମାନ ଯାତ୍ରା ଉପରେ ୫ ପ୍ରତିଶତ ଜିଏସଟି ରଖାଯାଇଛି, ଅପର ପକ୍ଷରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ରହିଛି ଯାହା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମିଡ଼ିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *