ମାଓବାଦୀଙ୍କୁ ଧରି କୋଟିପତି ହେବାକୁ ପୋଷ୍ଟର ଜାରି କଲା ବୌଦ୍ଧ ପୋଲିସ । ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ରହିଛି । ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ ପୋଲିସ । ୧୦ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସର୍ବାଧିକ ପୁରସ୍କାର ରାଶି ୧ କୋଟି, ସର୍ବନିମ୍ନ ୨୦ ଲକ୍ଷ ଟଙ୍କା ।

କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ମୁଣ୍ଡ ଉପରେ ସର୍ବାଧିକ ୧ କୋଟି ଟଙ୍କା ପୁରସ୍କାର ରାଶି ରହିଥିବା ବେଳେ ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ ସୁଦର୍ଶନ ଓରଫ୍ ବିକାଶ, ନିଖିଲ ଓରଫ୍ ଶିବାଜୀ, ଅଙ୍କିତା ଓରଫ୍ ଇନ୍ଦୁ, ଶୁକ୍ରୁ ଓରଫ୍ କ୍ରିଷ୍ଣା ଏବଂ ନିତୁ ମୁଣ୍ଡ ଉପରେ ୫୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି ।

ସେହିପରି ୨ ଜଣ ମିଲିଟାରୀ ପ୍ଲାଟୁନ୍ କମାଣ୍ଡର ଶିଲା ଓରଫ୍ ନାଗମଣି ଓ ଅନ୍ୱେଷ ଓରଫ୍ ରେଣୁ, ୨ ଡିଭିଜନାଲ୍ କମିଟି ସଦସ୍ୟ ମମତା ଓରଫ୍ ସାଇତେ ଓ ନକୁଲ ଓରଫ୍ ଚନ୍ଦ୍ରାକୁ ଧରାଇଦେଲେ ପ୍ରତ୍ୟେକଙ୍କ ପିଛା ୨୦ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ମିଳିବ ।

ପୋଷ୍ଟରେ ଆଉ ମଧ୍ୟ କୁହାଯାଇଛି କୌଣସି ବି ମାଓବାଦୀଙ୍କୁ ଧରାଇଦେଲେ ମଧ୍ୟ ପୁରସ୍କାର ମିଳିବ । ଯଦି ଉପରୋକ୍ତ କୌଣସି ମାଓବାଦୀଙ୍କ ବିରୋଧରେ କୌଣସି ସୂଚନା ପାଇବେ, ତେବେ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *