ଭରତପୁର ଠାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ ଅତ୍ୟାଚାର ଘଟଣାରେ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ଵର ହରତାଳ ଡାକରାକୁ ବିଜୁ ଜନତା ଦଳ ସାମୟିକ ଭାବେ ପ୍ରତ୍ୟାହାର କରିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନ୍ୟାୟାଳୟର ତତ୍ତ୍ଵାବଧାନରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ।

ଏହି ଲଜ୍ଜାଜନକ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବିଜୁ ଜନତା ଦଳ ହରତାଳର ଡାକରା ଦେଇଥିଲା । ଯେହେତୁ ସରକାର ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି, ଆମ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ଵର ହରତାଳ ଡାକରାକୁ ଆମେ ସାମୟିକ ଭାବେ ପ୍ରତ୍ୟାହାର କରୁଛୁ । ବିଜୁ ଜନତା ଦଳ ଗୋଟିଏ ଦାୟିତ୍ଵସମ୍ପନ୍ନ ରାଜନୈତିକ ଦଳ ଏବଂ ନିହାତି ଆବଶ୍ୟକ ନ ହେଲେ ଆମେ ହରତାଳ କରି ଜନ ସାଧାରଣଙ୍କୁ ହଇରାଣ କରିବାକୁ ଉଚିତ ମନେ କରୁନାହୁଁ ।

ଶ୍ରୀ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣା ସେପ୍ଟେମ୍ବର ୧୪ ତାରିଖରେ ଘଟିଥିଲେ ହେଁ ୧୮ ତାରିଖରେ ଭଚ୍ଚ ନ୍ୟାୟାଳୟ ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ପ୍ରଦାନ କରିବା ପରେ ଲୋକଲୋଚନକୁ ଆସିଥିଲା। ୧୭ ତାରିଖରେ ଭୁବନେଶ୍ଵରର ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ଗଣମାଧ୍ୟମରେ ଭରତପୁର ଥାନା ଘଟଣାରେ ପୋଲିସ ସପକ୍ଷରେ ଯୁକ୍ତି ବାଢିଥିଲେ। ୧୮ ତାରିଖରେ ଘଟଣା ଲୋକଲୋଚନକୁ ଆସିବା ପରେ ସରକାର ସେହି ଥାନାର ପାଞ୍ଚ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ଯାହାର ଅର୍ଥ ହେଉଛି ଏହି ଘଟଣାରେ ପୋଲିସର ଭୂମିକା ସନ୍ଦେହ ଘେରରେ ଥିଲା।

ଏହି ସମ୍ବେଦନଶୀଳ ଘଟଣାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଚାର ବିଭଗୀୟ ତଦନ୍ତ ଓ ଏସଆଇଟି ଗଠନର ଦୃଢ଼ ଦାବି କରିଥିଲେ । ବିଜୁ ମହିଳା ଜନତା ଦଳ ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଦେବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ବିଜୁ ଜନତା ଦଳ ପକ୍ଷରୁ ୬ ଘଣ୍ଟିଆ ଭୁବନେଶ୍ଵର ହରତାଳ ଡାକରା ଦିଆଯାଇଥିଲା।

ଏହି ଘଟଣାରେ ରାଜ୍ୟ ତଥା ଦେଶର ବିଭିନ୍ନ ବର୍ଗରୁ ତୀବ୍ର ପ୍ରତିକ୍ରିୟା ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସରକାର ଚାପରେ ବଶବର୍ତ୍ତୀ ହୋଇଥିଲେ ଏବଂ ଶେଷରେ ଚାପ ଆଗରେ ମୁଣ୍ଡ ନୁଆଇଁ ବିଚାର ବିଭାଗୀୟ ତଦନ୍ତର ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ। ସରକାର ଆମ ଦାବି ମାନି ନେଇଥିବାରୁ ଆମେ ହରତାଳ ଡାକରାକୁ ସାମୟିକ ଭାବେ ପ୍ରତ୍ୟାହାର କରୁଛୁ । କିନ୍ତୁ ଆମେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖୁଛୁ ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା ହେଲେ ଆମେ ପୁଣି ସ୍ଵର ଉତ୍ତୋଳନ କରିବୁ ବୋଲି ଶ୍ରୀ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଉପସ୍ଥିତ ରହି ନିଜର ମତ ରଖୁଥିଲେ ।

Leave a Reply

Your email address will not be published. Required fields are marked *